ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲାକୁ ଓଡିଶା ବିଧାନସଭାର ଷ୍ଟାଣ୍ଡିଂ କମିଟି ବିଭାଗ (୫) ପ୍ରତିନିଧି ଦଳ ଗସ୍ତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣିଆ ପ୍ରତିନିଧି ଦଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି । ସେମାନେ ଶୁକ୍ରବାର ସକାଳ ସମୟରେ କଫି ବଗିଚା ପରିଦର୍ଶନରେ ଯାଇଥିଲେ । ସେଠାରେ ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଶରତ ଶବର, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଅରୁଣ ଆଚାର୍ଯ୍ୟ ପ୍ରମୁଖ ପ୍ରତିନିଧି ଦଳଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ କରିଥିଲେ । ଓଡିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଭୁତି ଭୂଷଣ ପ୍ରଧାନଙ୍କ ନେତୃତ୍ୱରେ ବିଧାୟିକା ସୀମାରାଣୀ ନାୟକ, ବିଧାୟକ ପ୍ରଶାନ୍ତ ବେହେରା, ଉମାଚାରଣ ମଲିକ, ପ୍ରକାଶ ଚନ୍ଦ୍ର ସେଠି, ହିମାଂଶୁ ଶେଖର ସାହୁ, ଗୌତମ ବୁଦ୍ଧଦାସ, ରୁପେଶ କୁମାର ପାଣିଗ୍ରାହୀ, ସତ୍ୟଜିତ ଗମାଙ୍ଗ, ପ୍ରମୁଖ ଗସ୍ତ କରି ପ୍ରଥମେ କଫି ବଗିଚା ଯାଇଥିଲେ । ସେଠାରେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କଫି ବଗିଚା ସମ୍ପର୍କିତ ତଥ୍ୟ କମିଟିକୁ ଜଣାଇଥିଲେ । ଏହାର ବିକାଶ ଓ ରୂପାନ୍ତର ସମ୍ପର୍କରେ କମିଟି ଗୃହରେ ଜଣାଇବ ବୋଲି କହିଥିଲେ । ପରେ ଏହି ପ୍ରତିନିଧି ଦଳ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ଥିତି ପରଖିବା ସହ ଇନ୍ ଚାର୍ଜ ଜକେଶ ସାମନ୍ତ ରାୟଙ୍କ ସହ ଆଲୋଚନା କରିଥିଲେ l ମେଡ଼ିକାଲରେ ପ୍ରସୂତୀ ବିଭାଗ ଓ ଶିଶୁ ବିଭାଗୀୟ ବିଶେଷଜ୍ଞ ନିଯୁକ୍ତି କରିବାକୁ ଦାବୀ କରିଥିଲେ । ଉକ୍ତ ବିଷୟକୁ ଗୃହରେ ପ୍ରସ୍ତାବ ରଖିବାକୁ ପ୍ରତିନିଧିମାନେ କହିଥିଲେ । ପରେ ସେମାନେ ବ୍ରହ୍ମପୁର ଅଭିମୁଖେ ଫେରିଥିଲେ । କମିଟିର ଏହି ଗସ୍ତ ସମୟରେ ସରକାରୀ କର୍ମଚାରୀ, ଅଧିକାରୀଙ୍କ ସମେତ ଭାଜପାର ବରିଷ୍ଠ ନେତା ମାନ ଗୋବିନ୍ଦ ପ୍ରଧାନ, ଦାରିଙ୍ଗବାଡି ମଣ୍ଡଳ ସଭାପତି ମିଟୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟ ସୁକାନ୍ତ କୁମାର ସାହୁ, ଏମପିଙ୍କ ଦାରିଙ୍ଗବାଡି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ପ୍ରଭାକର ସାହୁ, ଅରୁଣ ପ୍ରଧାନ, ହରେନ ସାହୁ, ମୀନକେତନ ସାହୁ, ଭାଲୁ ସାହୁ, ରଞ୍ଜନ ସାହୁଙ୍କ ସମେତ, ଗଣେଶ ଡାକୁଆ ଶ୍ୟାମ ମହାଙ୍କୁଡ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ । କମିଟିକୁ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ମାଣ୍ଡିଆରେ ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦେଇଥିଲେ।