ବିଜାଲି ଗ୍ରାମରେ ଖଣି ଖନନ ନିମନ୍ତେ ସର୍ଭେକୁ ନେଇ ତୀବ୍ର ଉତ୍ତେଜନା, ସର୍ଭେ କର୍ମଚାରୀ ଦଳ ଓ ଶ୍ରମିକଙ୍କୁ ଘଉଡ଼ାଇ ଦେଲେ ଉତ୍ୟକ୍ତ ଗ୍ରାମବାସୀ…

ଦାରିଙ୍ଗବାଡି(ଆଶୋକ ସିଂ): ବାରମ୍ବାର ପ୍ରତିବାଦ ତଥା ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ନିକଟରେ ଗ୍ରାମସଭାର ନିଷ୍ପତ୍ତି ଦାଖଲ କରିବା ସତ୍ତ୍ୱେ ପ୍ରଶାସନ ଗ୍ରାମବାସୀମାନଙ୍କ ସହ କୌଣସି ଆଲୋଚନା ନ କରିବା ତଥା ଉଚିତ ପଦକ୍ଷେପ ନ ନେବାରୁ ଗ୍ରାଫାଇଟ୍ ଖଣି ଖନନ ସର୍ଭେକୁ ବିରୋଧ କରି ଆଜି ବିଜାଲି ଗ୍ରାମର ଆବାଳବୃଦ୍ଧବନିତା ଉତ୍ୟକ୍ତ ହୋଇ ଖଣି ସର୍ଭେକୁ ବିରୋଧ କରି ସର୍ଭେ କର୍ମଚାରୀ ଓ ଶ୍ରମିକମାନଙ୍କୁ ଘଉଡାଇ ଦେଇଛନ୍ତି । ଆମର ଖଣି ଦରକାର ନାହିଁ, ଆମ ପାଇଁ ଜୀବନ ଓ ଜୀବିକା ମୂଲ୍ୟବାନ । ଏଠି ଖଣି ଖନନ ହେଲେ କେବଳ ବିଜାଲି ନୁହେଁ, ସାରା ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ସମେତ ପଡୋଶୀ ତାଜୁଙ୍ଗୀ, ଗଦାପୁର ଓ ବହୁ ଅଞ୍ଚଳର ଲୋକେ ବିସ୍ଥାପିତ ହେବେ । ଆଦିବାସୀ ଲୋକମାନେ ସେମାନଙ୍କ ଭିଟାମାଟି ଓ ଜୀବନ- ଜୀବିକାରୁ ବିସ୍ଥାପିତ ହେଲେ ଯେତେ କ୍ଷତିପୂରଣ ଦେଲେ ମଧ୍ୟ ସେମାନେ ବଞ୍ଚି ପାରିବେ ନାହିଁ । ତେଣୁ କୈାଣସି ପରିସ୍ଥିତିରେ ଆମେ ଆମ ଗ୍ରାମରେ ଖଣି ଖନନ କରାଇ ଦେବୁନାହିଁ । ଭିଟାମାଟି ଓ ଜୀବନ-ଜୀବିକା ଧ୍ୱଂସ କରି ଖଣି ଖନନ ଯୋଜନା ଆମକୁ ମଞ୍ଜୁର ନାହିଁ ବୋଲି ଘୋଷଣା କରି ଆଜି ଉତ୍ୟକ୍ତ ଗ୍ରାମବାସୀ ମେଳି ହୋଇ ପ୍ରତିବାଦ କରିଥିଲେ ଓ ସର୍ଭେ ଦଳକୁ ଗାଁରୁ ଫେରିଯିବାକୁ ବାଧ୍ୟ କରିଥିଲେ । ପ୍ରକାଶ ଯୋଗ୍ୟ ଯେ ଗତ କିଛିଦିନ ଧରି ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ବିଜାଲି ଗ୍ରାମରେ ବ୍ର‌ହ୍ମପୁର ଜିଓଲଜିକାଲ୍ ସର୍ଭେ କାର୍ଯ୍ୟାଳୟ ପକ୍ଷରୁ ସେ ଅଞ୍ଚଳରେ ଗ୍ରାଫାଇଟ୍ ଥିବାରୁ ସର୍ଭେ କାମ ଚାଲୁ ରହିଛି । କିନ୍ତୁ ସେ ସଂପର୍କରେ ବିଜାଲି ଗ୍ରାମବାସୀମାନଙ୍କ ସହ କୌଣସି ପରାମର୍ଶ କରା ଯାଇନଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଖଣି ଖନନ ହେଲେ ବିସ୍ଥାପିତ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। କନ୍ଧମାଳ ଜିଲ୍ଲା ଏକ ଅନୁସୂଚିତ ଅଞ୍ଚଳ ହୋଇ ଥିବାରୁ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଓ ପେସା ଆଇନ୍ -୧୯୯୬ ଅନୁଯାୟୀ ସେ ଅଞ୍ଚଳରେ କୈାଣସି ବିକାଶ ମୂଳକ କାର୍ଯ୍ୟ ଏପରିକି ତା’ର ପ୍ରାରମ୍ଭିକ ସର୍ଭେ ହେବା ପୂର୍ବରୁ ଗ୍ରାମସଭାର ଅନୁମୋଦନ ଜରୁରୀ । କିନ୍ତୁ ଏ କ୍ଷେତ୍ରରେ ତାହାର ଚରମ ଉଲ୍ଲଂଘନ କରାଯାଇଛି । ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୈାଣସି ସୂଚନା ମଧ୍ୟ ଦିଆଯାଇ ନାହିଁ । ଅନ୍ୟପଟରେ ଗତ ୩୧ ଜାନୁୟାରୀ ଦିନ ବିଜାଲି ଗ୍ରାମବାସୀ ଗ୍ରାମସଭା ଆୟୋଜନ କରି ଖଣି ଖନନ ନିମନ୍ତେ ସର୍ଭେ ବିରୋଧରେ ପ୍ରସ୍ତାବ ଗ୍ରହଣ କରିଥିଲେ ଓ କନ୍ଧମାଳ ଜିଲ୍ଲାପାଳ, ଦାରିଙ୍ଗବାଡି ବ୍ଲକ ବିଡ଼ିଓ, ଦାରିଙ୍ଗବାଡି ତହସିଲଦାର ଇତ୍ୟାଦିଙ୍କ ନିକଟକୁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରି ପ୍ରସ୍ତାବ ପ୍ରେରଣ କରିଥିଲେ । ମାତ୍ର ପ୍ରଶାସନ ତଥା ପ୍ରଶାସନିକ ଅଧିକାରୀମାନଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଆଜି ବାଧ୍ୟ ହୋଇ ଲୋକମାନେ ମେଳି ହୋଇ ପ୍ରତିବାଦ କରିଛନ୍ତି ।
କୈାଣସି ପରିସ୍ଥିତିରେ ଲୋକମାନେ ଡରି ନଯାଇ ସେମାନଙ୍କ ଭିଟାମାଟି, ପ୍ରକୃତି ତଥା ପରିବେଶର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଆଜିର ପ୍ରତିବାଦରେ ଘୋଷଣା କରାଯାଇଛି ।
ଖଣି ଖନନ ଜନିତ ବିପଦ, ଜୀବନ ଜୀବିକା ସୁରକ୍ଷା ତଥା ଭିଟାମାଟି ଓ ପରିବେଶର ରକ୍ଷା ପାଇଁ ସେମାନେ ସମସ୍ତ ପ୍ରକାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି ।