ଦାରିଙ୍ଗବାଡି( ଆଶୋକ ସିଂ): କୁକୁର କାମୁଡ଼ା ପାଇଁ ସରକାରୀ ମେଡିକାଲରେ ଔଷଧ ମିଳୁନାହିଁ l ଏଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ । ସୂଚନା ଅନୁଯାୟୀ ବୁଧବାର ଦିନ ସକାଳୁ ପ୍ରାୟ ୮ଟା ବେଳେ ବ୍ରାହ୍ମଣୀଗାଁ ଧର୍ମ ସାହିର କୁନି ଝିଅ ବୈଶାଳୀ ନାୟକ (୪) ଦାଣ୍ଡରେ ଖେଳୁଥିବା ବେଳେ ଗୋଟିଏ ବୁଲା କୁକୁର ହଠାତ୍ ଉକ୍ତ ଝିଅକୁ କାମୁଡୁ ଥିବା ବେଳେ ତାଙ୍କ ମା ଗୀତା ପ୍ରଧାନ (୨୫) ତାକୁ ଉଦ୍ଧାର କରିବା ପାଇଁ ଯିବା ସମୟରେ ମାକୁ ମଧ୍ୟ ଉକ୍ତ କୁକୁର କାମୁଡ଼ି ଥିଲା l ଉଭୟ ମା, ଝିଅଙ୍କ ଚିତ୍କାର ଶୁଣି ସାହି ବାସୀ ଉକ୍ତ କୁକୁରକୁ ଘଉଡାଇ ଦେଇଥିଲେ । ପରେ ସେମାନେ କ୍ଷତାକ୍ତ ଅବସ୍ଥାରେ ସ୍ଥାନୀୟ ମେଡ଼ିକାଲକୁ ଯାଇଥିଲେ l ସେଠାରେ କୁକୁର କାମୁଡ଼ା ପାଇଁ ଔଷଧ ମିଳୁ ନଥିବା କହି ଡାକ୍ତର ସେମାନଙ୍କୁ ଅନ୍ୟତ୍ର ଯିବାକୁ କହିବାରୁ ଉଭୟ ମା ଓ ଝିଅ ନିରାଶାରେ ଫେରିଥିବା କହିଛନ୍ତି । ତେବେ ଦୁର୍ଗମ ଅଞ୍ଚଳରେ ଚାଷ ବାସର ସମୟ, ଲୋକେ ବଣ ଜଙ୍ଗଲରେ କାମ କରିବାକୁ ଯାଆନ୍ତି l ବିଭିନ୍ନ ବିଷାକ୍ତ କୀଟ, ସାପ, କୁକୁର, ବନ୍ୟଜନ୍ତୁ ଆଦିର ଶିକାର ହେବା ଭୟ ଥାଏ l ଏହି ସମୟରେ ଆବଶ୍ୟକୀୟ ଔଷଧ ମହଜୁଦ ନ ରହିବ ତେବେ ଅଞ୍ଚଳ ବାସୀ ଅକାଳ ମୃତ୍ୟୁର ଶିକାର ହେବା ସୁନିଶ୍ଚିତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଦୁର୍ଗମ ଅଞ୍ଚଳରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବୀ ହେଉଛି ।