ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାରେ ଇଣ୍ଟର୍ନେଟ୍ ସମସ୍ୟା ଦୂର କରିବା ପାଇଁ ଅନେକ ଗୁଡ଼ିଏ ଦୁର୍ଗମ ଅଞ୍ଚଳରେ ଜିଓ ଟାୱାର ସ୍ଥାପନ କରଯାଇଛି ତେବେ ଏହା କେଉଁ ସ୍ଥାନରେ ସଠିକ୍ କାମ କରୁଛି ତ ଆଉ କିଛି ସ୍ଥାନରେ ଇଣ୍ଟର୍ନେଟ୍ କାମ କରୁ ନଥିବା ଅଭିଯୋଗ ହେଉଛି । ଏପରି ଏକ ଅଭିଯୋଗ ଆସିଛି ଦାରିଙ୍ଗବାଡି ବ୍ଲକର ଦୁର୍ଗମ ତାଜୁଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ କଲିଙ୍ଗି ଗ୍ରାମରୁ । ଏଠାରେ ଜିଓ ଟାୱାର ସ୍ଥାପନ ହେବାର ପ୍ରାୟ ଏକ ବର୍ଷ ବିତିଯାଇଛି କିନ୍ତୁ ୪ଜି ଇଣ୍ଟର୍ନେଟ୍ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ l ଯାହରି ଫଳରେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ସରକାରୀ, ବେସରକାରୀ ସ୍ତରରେ କୌଣସି ଅନଲାଇନ୍ କାର୍ଯ୍ଯ ହୋଇପାରୁନାହିଁ l ଗ୍ରିଷ୍ମ ଅବକାଶ ଛୁଟିରେ ଛାତ୍ରଛାତ୍ରୀମାନେ ଗ୍ରାମକୁ ଆସିଛନ୍ତି l ଅନେକ ଛାତ୍ରଛାତ୍ରୀ ଅନଲାଇନ୍ ଶିକ୍ଷା ଗ୍ରହଣ କରୁଛନ୍ତି l କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଜିଓ ଭଳି ଟାୱାର ଇଣ୍ଟର୍ନେଟ୍ ପ୍ରଦାନ କରୁ ନଥିବାରୁ ପିଲାମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ଏ ସମ୍ପର୍କରେ ଗତ ଫେବୃୟାରୀ ମାସରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ସ୍ଥାନୀୟ ବିଡ଼ିଓ, ସରପଞ୍ଚଙ୍କୁ ମଧ୍ୟ ଜଣାଇ ଥିଲେ ସୁଦ୍ଧା ବର୍ତ୍ତମାନ ଯାଏଁ ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ । ଲୋକଙ୍କ କହିବା ଅନୁସାରେ ପ୍ରତି ମାସରେ ଜିଓ ରିଚାର୍ଜ୍ ପାଇଁ ୨୫୦ରୁ ୩୦୦ଟଙ୍କା ଲେଖାଏଁ ଲୁଟୁଛି l ହେଲେ କଥା ହେବାର ହେଉଛି କିନ୍ତୁ ଡାଟା କାମ କରୁ ନାହିଁ । ଏଣୁ ପ୍ରଶାସନ ଦୁର୍ଗମ ଅଞ୍ଚଳର ସମସ୍ୟା ପ୍ରତି ଗୁରୁତ୍ବ ଦେଇ ଏହାର ସମାଧାନ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ନରେନ୍ଦ୍ର ମଲ୍ଲିକ, ଶିବାଜୀ ସିଂ, ସନ୍ତୋଷ ନାୟକ, ପ୍ରଫୁଲ୍ଲ ମୁଠା ମାଝୀ , ଗାବ୍ରିଲ୍ ଦିଗାଲ, ସୁବାଷ ମଲ୍ଲିକ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି ।