ଝିଞ୍ଜିରିଗୁଡା ଗ୍ରାମରେ ଶ୍ରୀ ରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡା ଗ୍ରାମରେ ଶୁକ୍ରବାର ଦିନ ଶ୍ରୀ ରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡିତ ରାମେଶ୍ବର ତ୍ରିପାଠୀଙ୍କ ପୌରହିତ୍ୟରେ ପୁଜାର୍ଚନା କରି ହନୁମାନଙ୍କ ମୂର୍ତ୍ତୀ ବିଗ୍ରହ ସ୍ଥାପନା କରାଯାଇ ଥିବା ବେଳେ କର୍ତ୍ତା ଭାବେ ସେହି ଗ୍ରାମର ପ୍ରତାପ ସିଂ ବେହର୍ଦଳାଇ, ପ୍ରଭାତି ସିଂ ବେହର୍ଦଳାଇ ବସିଥିଲେ l ସେଠାରେ ନାମ ସଂକିର୍ତନ ଅନୁଷ୍ଠିତ ହୋଇଥିଲା । ସକାଳୁ ୯ ଘଣ୍ଟା ସମୟରେ ସାତ ଭଉଣୀ ନଦୀରୁ ଜଳ ଉଠାଇ କଳସ ଯାତ୍ରା ଆରମ୍ଭ କରି ନଗର ପରିକ୍ରମା କରି ହନୁମାନଙ୍କ ବିଗ୍ରହ ପୀଠ ପର୍ଯ୍ୟନ୍ତ ଯାଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ, ପୁଇଗୁଡା, ମେରେମାହା, ଗଦାପୁର, ସରାମୂଳି, କିରାମା, ନୁଆଗାଁ, କିନାରି ଗାଁ, ଉଲିପଦର, ମୁଣ୍ଡାମା, କୁମ୍ଭାରିଗାଁ, ଝିଲିକୀ, ଅବଡା, ରାମଗିରି ଆଦି ଗ୍ରାମରୁ ସଂକିର୍ତନ ମଣ୍ଡଳୀ ପହଞ୍ଚି ନାମ ସଂକିର୍ତନ ଗାନ କରିଥିଲେ । ପ୍ରଥମ ଥର ପାଇଁ ଝିଞ୍ଜୀରୀଗୁଡା ଗ୍ରାମରେ ଶ୍ରୀ ରୁଦ୍ର ମହାବୀର ହନୁମାନଙ୍କ ବିଗ୍ରହ ସ୍ଥାପନା ହେଉଥିବାରୁ ସୀମାନ୍ତ ବର୍ତ୍ତି ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲାର ନିକଟବର୍ତ୍ତୀ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷମାନଙ୍କ ସମାଗମ ହୋଇଥିଲା । ଝିଞ୍ଜିରିଗୁଡା ଗ୍ରାମର ମାଁ ଭୌରବି ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।