ଦାରିଙ୍ଗବାଡ଼ି(ଆଶୋକ ସିଂ): ଆତଙ୍କି ହାମଲାରେ ମୃତାହତଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, କଶ୍ମୀରର ପହଲଗାମରେ ଗତ ୨୨ତାରିଖରେ ଆତତାୟୀଙ୍କ ଗୁଳିର ଶିକାର ହୋଇ ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ପାଇଁ ଓଡ଼ିଶା ଝୁରୁଛି । ଦେଶରେ ଚାରିଆଡ଼େ ଶୋକର ଛାୟା ଦେଖିବାକୁ ମିଳିଛି । ଉକ୍ତ ଘଟଣାକୁ ନିଦା ଓ ପ୍ରତିବାଦ କରିବା ସହ ଦାରିଙ୍ଗବାଡ଼ିରେ ଶିକ୍ଷକ ସଂଘ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଶାନ୍ତି ଓ ସଦ୍ଭାବନା ଓ ମୃତକଙ୍କ ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସୁବିଧା କେନ୍ଦ୍ରରୁ ଶୋଭାଯାତ୍ରା ବାହାରି ଶିବ ମନ୍ଦିର ସାହିରେ ପହଞ୍ଚିଥିଲେ ସେଠାରୁ ପୁଣି ଫେରି ଆସି ସୁବିଧା କେନ୍ଦ୍ର ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା ଏବଂ ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକଙ୍କ ନେତୃତ୍ୱରେ ଜିଲା ସହ ସମ୍ପାଦକ କୌଶିକ କୁମାର ନାୟକ, ସହ ସମ୍ପାଦକ ନବୀନ କୁମାର ସାହୁ ,ସଂଘର ଉପଦେଷ୍ଟା ରମାକାନ୍ତ ବଳିୟାରସିଂ, ଅଜିତ କୁମାର ବେହେରଦଳାଇ ସଂଘର କର୍ମକର୍ତ୍ତା ତଥା ଶତାଧିକ ଶିକ୍ଷୟିତ୍ରୀଶିକ୍ଷକ ଏଥିରେ ସାମିଲ ହୋଇଥିଲେ ।