ସର୍ବ ଭାରତୀୟ ସ୍ତରରେ ଷ୍ଟାର ସରପଞ୍ଚ ଭାବେ ରୁଗୁମୁ ସରପଞ୍ଚ ପୁରସ୍କୃତ…

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଂଚାୟତର ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ନୂଆଁଦିଲ୍ଲୀ ସ୍ଥିତ ଦି ଷ୍ଟେନ ଅଡିଟୋରୀୟମ ଇଣ୍ଡିଆ ହେବିଟେଟ ସେଣ୍ଟର ଠାରେ କ୍ୱାଲିଟି କାଉନସିଲ ଇଣ୍ଡିଆ ତରଫରୁ ଆୟୋଜନ କରାଯାଇଥିବା ଶକ୍ତି ବିଭାଗ ତରଫରୁ ଯୋଗ୍ୟ, ସ୍ୱଚ୍ଛ ଓ ସୁଜଳ ଗ୍ରାମ ପଞ୍ଚାୟତ ପାଇଁ କେନ୍ଦ୍ର ଜଳସକ୍ତି ମନ୍ତ୍ରୀ ସି ଆର ପାଟିଲଙ୍କ ଠାରୁ ଷ୍ଟାର ସରପଞ୍ଚ ଭାବରେ ଓଡ଼ିଶାର ଏକମାତ୍ର ସରପଞ୍ଚ ଭାବରେ ପୁରସ୍କୃତ ହୋଇଛନ୍ତି । ସମଗ୍ର ଭାରତ ବର୍ଷରେ ନିଜ ନିଜର ପଞ୍ଚାୟତରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 30 ଜଣ ସରପଞ୍ଚଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତର ସରପଞ୍ଚ ଏହି ପୁରସ୍କାର ପାଇବା ପରେ ଆଜି ରୁଗୁମୁ ପଞ୍ଚାୟତରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ପଞ୍ଚାୟତ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ ସମିତି ସଭ୍ୟ ବନବାସ ବେହେରା, ପୂର୍ବତନ ସରପଂଚ ସୁଧାକର ସ୍ବାଇଁ, ପଂଚାୟତ ନିର୍ବାହୀ ଅଧିକାରୀ ଇସାକ ପ୍ରଧାନ, ଶିକ୍ଷାବିତ ପୀତବାସ ପାଣିଗ୍ରାହୀ, ନାଏବ ସରପଞ୍ଚ ଲକ୍ଷ୍ମୀକାନ୍ତ ବିଷୋୟୀ, ଏଡିଇ ଓ ବିଦେଶୀ ଗୌଡ଼, ଯୋଗାଣ ସହାୟକ ସୁମିତ୍ରା ବିଷୋୟୀଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ଓ ସାଧାରଣ ଲୋକେ ଉପସ୍ଥିତ ରହି ଷ୍ଟାର ପୁରସ୍କାର ବିଜୟୀ ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସରପଞ୍ଚ ରୁଗୁମୁ ପଂଚାୟତକୁ ଏକ ଆଦର୍ଶ ପଂଚାୟତ ଭାବରେ ଗଢି ତୋଳିବା ପାଇଁ ଶପଥ ନେଇଥିଲେ ।