ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁଙ୍କ ତତ୍ତ୍ଵାବଧାନରେ ଧରାକୋଟ ସ୍ଥିତ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ଛାତ୍ରଛାତ୍ରୀମାନଙ୍କ ସାମୁହିକ ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକର 20 ଗୋଟି ଉଚ୍ଚ ବିଦ୍ୟାଳୟ ଓ 13 ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋଟ 466 ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ସାଧନ କର୍ମୀ ହରି କୃଷ୍ଣ ପଣ୍ଡା, ହିମାଂଶୁ ପଟନାୟକ, ସୁରେନ୍ଦ୍ର ନାଥ ପଣ୍ଡା, ଭିକାରୀ ଚରଣ ଗୌଡ଼, ଲକ୍ଷ୍ମୀ ନାରାୟଣ ମହାରଣା, ସ୍ନେହଲତା ପଣ୍ଡା ପ୍ରମୁଖ ଦୀକ୍ଷା ପ୍ରଦାନ କରିଥିଲେ । ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାନ୍ଟଓଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଏଥିରେ ସାମିଲ କରି ସମାଜର ବିଭିନ୍ନ ସେବା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଯଥା ବୃକ୍ଷ ରୋପଣ, ସଡକ ସୁରକ୍ଷା, ସ୍ୱଚ୍ଛତା, ଶିକ୍ଷା ସଚେତନତା ସହ ବିଦ୍ୟାଳୟର ବିଭିନ୍ନ ଉତ୍ସବ ପାଳନ ବେଳେ ସ୍ବେଚ୍ଛାସେବୀ ଭାବରେ ନିଜର ସଠିକ ଦାଇତ୍ୱ ତୁଲାଇବା ସହ ଜିଲ୍ଲା ଓ ରାଜ୍ୟ ସ୍ତରୀୟ କ୍ୟାମ୍ପରେ ନିଜର ପ୍ରତିଭା ବିକଶିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଇଓ ଲିଙ୍ଗରାଜ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ତହସିଲଦାର ଲମ୍ବୋଦର ମାରାଣ୍ଡି, ମୁଖ୍ୟ ବକ୍ତା ଭାବରେ ସାଧନ କର୍ମୀ ହରେକୃଷ୍ଣ ପଣ୍ଡା, ଏବିଇଓ ସୌରୀ ଶଙ୍କର ବେହେରା, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ସରକାରୀ ନିର୍ଦ୍ଦେଶ ପ୍ରକାରେ ପ୍ରତ୍ୟେକ ବିଦ୍ୟାଳୟରେ ଜୁନିଅର ରେଡକ୍ରସ, ସ୍କାଉଟ ଓ ଗାଇଡ ୟୁନିଟ ଖୋଲାଯାଇ ଏହା ମାଧ୍ୟମରେ ବିଭିନ୍ନ ସେବା କାର୍ଯ୍ୟ କରି ସମାଜକୁ ସଚେତନ କରାଇବା ପାଇଁ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ ଦେଇଥିଲେ । ରେଡକ୍ରସ ର ଧରାକୋଟ ବ୍ଲକ ସଂଯୋଜକ ରଶ୍ମିତା ରାଉଳ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସାଧନ କର୍ମୀ ସୁରେନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସିଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ ପ୍ରଦାନ କରିଥିଲେ ।