-ଦେଶର ପଞ୍ଚାୟତରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜିନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ l
-କିଛି ଲୋକ ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ସହ ଇତିହାସ ବଦଲେଇ ବାକୁ ଉଦ୍ୟମ କରୁଛନ୍ତି l
-ସେଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଲେ ଓଡିଶାର ମଙ୍ଗଳ ହେବ: ନବୀନ ପଟ୍ଟନାୟକ

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଶଙ୍ଖ ଭବନ ଠାରେ ମହାନ ଜନନାୟକ ବିଜୁ ପଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଭାବ ଗମ୍ଭୀର ପରିବେଶରେ ପାଳିତ ଅନୁଷ୍ଠିତ ହୋଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟନାୟକ ସ୍ବର୍ଗତ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିଜୁ ବାବୁ ଜଣେ ଓଡ଼ିଆ ଭାବରେ ସବୁବେଳେ ଗର୍ବ କରୁଥିଲେ l ଓଡିଶାକୁ ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ଥିଲା l ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା l ଏହି ସମୟ ମଧ୍ୟରେ ବହୁତ ଭଲ କାମ ହୋଇଥିଲା l ଯେଉଁଥି ପାଇଁ ଓଡିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସ୍ୱୀକୃତି ମଧ୍ୟ ମିଳିଥିଲା l ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଶ୍ରୀ ପଟ୍ଟନାୟ କହିଥିଲେ ଯେ ଦେଶର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ମହିଳା ସଶକ୍ତିକରଣ ହେଉଛି ଭାରତୀୟ ରାଜନୀତିକୁ ବିଜୁ ବାବୁଙ୍କ ଶ୍ରେଷ୍ଠ ଅବଦାନ l ବିଜୁ ବାବୁଙ୍କ ଅବଦାନକୁ କେହି ଭୁଲି ପାରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l ବରପୁତ୍ରମାନଙ୍କ ତ୍ୟାଗ ଓ ଅବଦାନକୁ ନ୍ୟୁନ କରିବା ପାଇଁ ବର୍ତ୍ତମାନ କିଛି ଲୋକ ଯେଭଳି ଉଦ୍ୟମ କରୁଛନ୍ତି ଏବଂ ଇତିହାସ ବଦଳେଇବାକୁ ଚେଷ୍ଟା କରୁଛନ୍ତି ସେଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଇତିହାସ ହେଉଛି ଗୋଟିଏ ନିର୍ଦିଷ୍ଟ କାଳଖଣ୍ଡରେ ଗୋଟିଏ ଜାତିର ସାମୁହିକ ଅନୁଭବର ପରିପ୍ରକାଶ l ଏହାକୁ କେହି ବଦଳେଇ ପାରିବେ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ l ତେଣୁ ଏଥିରେ ସମୟ ନଷ୍ଟ ନ କରି ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ପାରିଲେ ରାଜ୍ୟର ମଙ୍ଗଳ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା, ଶ୍ରୀ ଅମର ପଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି କରିଥିଲେ l ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଧନ୍ୟବାଦ ଅର୍ପଣ କରିଥିଲେ l ସକାଳେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l