ଆୟୁଷ୍ମାନ ଭାରତର ଶୁଭାରମ୍ଭ, ମିଳିବ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା….

ଭଞ୍ଜନଗର(ନିଲୁ ବିଶୋଇ): ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲୋକାର୍ପିତ ହୋଇଛି । ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏଓ୍ୱାଇ) ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହୋଇଛି । ଏହା ଦ୍ବାରା ରାଜ୍ୟର ସାଢ଼େ ୩ କୋଟି ଲୋକ ମାଗଣା ସ୍ୱାସ୍ଥ୍ୟସେବା ପାଇବେ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା କଟକ ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଆୟୋଜିତ ସମାରୋହରେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ପିଏଚସି ଓ ସିଏଚସିରେ ଏହାର ସିଧା ପ୍ରସାରଣ ହୋଇଥିଲା ବେଳେ ଭଞ୍ଜନଗର ବ୍ଲକର କୁଲାଡ ବଡଦାଣ୍ଡ, ମୁଜାଗଡ କଲ୍ୟାଣମଣ୍ଡପ, ବାହାଡାପଦର ଉଚ୍ଚ ବିଦ୍ୟାଳୟ ଓ ଡହର(ଡୁମାକୁମ୍ପା) ଠାରେ ଏହାର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାହାଡାପଦର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ, ସାନକୋଦଣ୍ଡା ସରପଞ୍ଚ ଲକ୍ଷ୍ମଣ ନାଇକ, ସମିତିସଭ୍ୟା ନମିତା ନାଇକ, ବଡକୋଦଣ୍ଡା ସରପଞ୍ଚ ରେଶ୍ମା କୁମାରୀ ନାୟକ, ସମିତିସଭ୍ୟ ଜେ.ମନୋଜ ପୃଷ୍ଟି, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା ଶୈଳବାଳା ବିଷୋୟୀ, ବିଜେପି ନେତା ବସନ୍ତ ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ଶଙ୍କର ନାରାୟଣ ଭୂୟାଁ, ବାହାଡ଼ାପଦର ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରମୁଖ ମଞ୍ଚାସୀନ ରହି ଏହି ଯୋଜନାର ସୁଫଳ ବାବଦରେ କହିଥିଲେ । ସେହିଭଳି ଭଞ୍ଜନଗର ବ୍ଲକର ପୃଥକ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ଭାରପ୍ରାପ୍ତ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଡ ମାଧ୍ୟମରେ ସାରା ଭାରତ ବର୍ଷରେ ୨୯ ହଜାରରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଉନ୍ନତମାନର ସ୍ୱାସ୍ଥ୍ୟସେବା ମାଗଣାରେ ପାଇପାରିବେ । ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଉପକୃତ ହେବେ । ଯେଉଥିରେ ଗଞ୍ଜାମ ଜିଲ୍ଲାରେ ୨୮.୯୨ ଲକ୍ଷ ହିତାଧିକାରୀ ରହିଛନ୍ତି । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ । ସେହିପରି ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ ଅର୍ଥାତ ୭୦ ବର୍ଷ କିମ୍ଵା ତା’ଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ  ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ l