ଦାରିଙ୍ଗବାଡି(ଆଶୋକ ସିଂ): ସମଗ୍ର ଓଡ଼ିଶାରେ ଶୁକ୍ରବାର ଦିନ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ୍ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ୨ ଦିନିଆ ଓଡ଼ିଶା ଗସ୍ତରେ ଆସି କଟକ ବାଲିଯାତ୍ରା ପଡିଆରୁ ଉକ୍ତ ଯୋଜନାର ଶୁଭାରମ୍ଭ କରଛନ୍ତି । ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କନ୍ଫରେନ୍ସିଂ ଜରୀଆରେ ଓଡ଼ିଶା ବାସୀ ଯୋଗ ଦେଇଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ମେଡ଼ିକାଲ ଅଞ୍ଚଳରେ ଆଭାସୀ ସମ୍ମେଳନର ଆୟୋଜନ କରାଯାଇଥିଲା । ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଥିବା ହିତାଧିକାରୀ ଯୋଗଦେଇଥିବା ବେଳେ ତହସିଲଦାର ଶରତ ଶବର, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରମୋଦ କୁମାର ସେଠୀ, ବିଧାୟକ ପ୍ରତିନିଧି ପିଟର ଦିଗାଲ, ଏମ ଆଇ ନିହାର ରଞ୍ଜନ ବେହେରା, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ, କାଟିଙ୍ଗିଆ ସରପଞ୍ଚ ସୁଭଦ୍ରା ପଡ୍ରା, କୁମ୍ଭରି ଗାଁ ସରପଞ୍ଚ ସୁମିତ୍ରା ଦଳ ବେହେରା, ଝିଞ୍ଜୀରି ଗୁଡା ସରପଞ୍ଚ ଚାନ୍ଦିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ତିନି ମାସ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯିବ l ଆଶା, ଅଙ୍ଗନୱାଡ଼ି ଓ ସ୍ଵାସ୍ଥ୍ୟ କର୍ମୀମାନେ ନିଜ ନିଜ ମେଡ଼ିକାଲ ଅଞ୍ଚଳରେ ଏହି କାର୍ଡ ବଣ୍ଟନ କରିବେ ବୋଲି ଡ଼ାକ୍ତର ଶ୍ରୀ ସେଠୀ ସୂଚନା ପ୍ରଦାନ କରିଥିଲେ । ସେହିପରି ଗଦାପୁର ସ୍ଵାସ୍ଥ୍ୟ କେନ୍ଦ୍ର ଏବଂ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ଉଦଘାଟନ ସମାରୋହ ବ୍ୟବସ୍ଥା କରାଯାଇଥିଲା l ସେହି ପରି ମାର୍ଦିପାଙ୍କା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ସରାମୁଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର, ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଏବଂ ବୁଡ଼ାଗୁଡା ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ବୁଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଆଭାଶୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀମାନେ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରତେକ ହିତାଧିକାରୀଙ୍କୁ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ଆଉ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ରାଶି ଦିଆଯିବ। ଯଦି ୭୦ ବର୍ଷରୁ ଅଧିକା ଥିଲେ ସେମାନଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ ଓ ୩ ମାସ ମଧ୍ୟରେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ବୟୋ ବନ୍ଧନ ସ୍ବାସ୍ଥ୍ୟ ବୀମା କାର୍ଡ ପହଞ୍ଚାଯିବ ବୋଲି କୁହାଯାଇଛି । ବିଡ଼ିଓ ପ୍ରିତିରଞ୍ଜନ ରଥ ଏବଂ ତହସିଲଦାର ଶରତ ଶବରଙ୍କ ତତ୍ତ୍ଵାବଧାନରେ ବ୍ଲକର ସମସ୍ତ ଲାଇନ୍ ବିଭାଗର ଅଧିକାରୀମାନେ ବିଭିନ୍ନ ମେଡ଼ିକାଲ୍ ଅଞ୍ଚଳରେ ନିୟୋଜିତ ହୋଇ କାର୍ଯ୍ୟଭାର ତୁଲାଇଥିଲେ ।