ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ…
ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ଠାରେ ଆୟୁଷ୍ମାନ ଭାରତ ପ୍ରଧାମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ଆନୁଷ୍ଠାନିକ ଭାବେ ଏସମସ୍ତ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆ ଠାରୁ ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି, ଛେଳିଗଡ ଓ ମହେନ୍ଦ୍ରଗଡ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ମୋଟ ୨ ଲକ୍ଷ ୫୭ ହଜାର କାର୍ଡ ବଣ୍ଟନ ଲକ୍ଷ ଥିବାବେଳେ ରାମଗିରି ୩୦ଜଣ, ଛେଳିଗଡ ୨୯ଜଣ ଓ ମହେନ୍ଦଗଡ ଠାରେ ୨୫ ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯାଇ ଥିଲା । ଆଗାମୀ ଦିନରେ ସମସ୍ତ ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା କାର୍ଡ ବଣ୍ଟନ କରାଯିବା ସୂଚନା ରହିଛି । କାର୍ଡ ପ୍ରାପ୍ତ ସମସ୍ତ ହିତାଧିକାରୀ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ କେତେ ଶୀଘ୍ର ସମସ୍ତ ହିତାଧିକାରୀ କାର୍ଡ ପାଇବେ ଓ ସେଥିର ଲାଭ ଉଠାଇବେ ତାହା ଦେଖିବାକୁ ବାକି ରହିଲା ।