ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଦାରିଙ୍ଗବାଡି ତହସିଲ ପକ୍ଷରୁ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଏକ ରାଜସ୍ବ ମେଳାର ଆୟୋଜନ କରାଯାଇ କାଟିଙ୍ଗିଆ ପଞ୍ଚାୟତ ରାମ୍ବେଲି ଗ୍ରାମର ୬୧ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ ଧନ ଜୀବନ କ୍ଷୟ କ୍ଷତି ହେଲେ କଣ ସବୁ ସରକାରୀ ସୁବିଧା ମିଳିପାରିବ ଓ ଏହାକୁ କିପରି ଆବେଦନ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ବିଜୁଳୀ ଘଡ଼ଘଡ଼ି, କୁଆ ପଥର, ପାଣିରେ ବୁଡ଼ି ମରିଯିବା, ସାପ କାମୁଡ଼ା ରେ ମୃତ୍ୟୁ ହେଲେ, ନିଆଁ ଲାଗି ମୃତ୍ୟୁ ହେଲେ, ଝଡ଼ ବର୍ଷା ଓ ବନ୍ୟା ବାତ୍ୟାରେ ଚାଷ ଜମି କିମ୍ବା ପଶୁ ଜନ୍ତୁଙ୍କ କ୍ଷୟ କ୍ଷତି ହେଲେ ସରକାରୀ ବ୍ୟବସ୍ଥା ଅନୁଯାୟୀ କିପରି ଆବେଦନ କରିବେ ଓ ସରକାରୀ ସୁବିଧା ନେଇ ପାରିବେ ସେ ନେଇ ତହସିଲଦାର ଶ୍ରୀ ଶବର ସଚେତନା କରିଥିଲେ । ଏଥି ସହ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରି ଜଙ୍ଗଲକୁ ସୁରକ୍ଷା ପ୍ରଦାନ କରିବା ପାଇଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଲୋକଙ୍କୁ ବୁଝାଇ ଥିଲେ । ବାଲିଗୁଡ଼ାରୁ ପ୍ରଧାନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମୀ ଡ଼ମ୍ବୁରୁ ଧର ଦିଗାଲ ଯୋଗ ଦେଇ ଜଙ୍ଗଲକୁ ବ୍ୟବହାର କରି କିପରି ଲାଭବାନ ହୋଇ ପାରିବେ, ଜଙ୍ଗଲରେ କଣ ସବୁ ଅର୍ଥକାରୀ ଫସଲ ଆଦାୟ କରାଯାଇ ପାରିବ ସେ ନେଇ ଲୋକଙ୍କୁ ସଚେତନତା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଏଫ୍ ଆର ଏ ଆସିଷ୍ଟାଣ୍ଟ ସଲିୟ ପ୍ରଧାନ, ଅମିନ ଟୁନା ବେହେରା, ଏମ ଆଇ ଏସ୍ ପ୍ରଦୀପ କୁମାର ସାହୁ , ସୁମନ୍ତ ଦିଗାଲ, ଗଦାପୁର ସେକସନ ଇଞ୍ଚାର୍ଜ୍ ସନ୍ତୋଷ ପଟ୍ଟନାୟକ, କାଟିଙ୍ଗିଆ ସେକସନ ଇଞ୍ଚାର୍ଜ୍ ଆଶିଷ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।