ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ନିକଟସ୍ଥ ବେଠୁଆର ଗ୍ରାମସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଶୈବ ପୀଠ ପରିସରରେ ବେଠୁଆର ଓ ରୁଗୁମୁ ମଣ୍ଡଳ କାଳଞ୍ଜି ସମାଜର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବେଠୁଆର ମଣ୍ଡଳ ସଭାପତି ହରିବନ୍ଧୁ ସ୍ୱାଇଁ ଏଥିରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ରଜନୀକାନ୍ତ ଜେନା ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ବାଲ୍ୟ ବିବାହ ରୋକିବା, ଗୁଣି ଗାରେଡ଼ି ଭଳି ଅନ୍ଧ ବିଶ୍ୱାସ ଠାରୁ ଦୂରରେ ରହିବା, ନିଶା ନିବାରଣ ଓ ନାରୀ ସୁରକ୍ଷା ପ୍ରତି ସଚେତନ ରହିବା, ଗରିବ ଓ ମେଧାବୀ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହନ ଦେବା ସହ ପାଣ୍ଠି ଯୋଗାଇବା ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏଥିରେ ପୂର୍ବତନ ଧରାକୋଟ ଅଞ୍ଚଳ ସଭାପତି ମୋହନ ବିଷୋୟୀ, ରୁଗୁମୁ ମଣ୍ଡଳ ସଭାପତି ଅରୁଣ ସ୍ୱାଇଁ, ସମ୍ପାଦକ ଇନ୍ଦ୍ର ମୋହନ ବିଷୋୟୀଙ୍କ ସମେତ ସମସ୍ତ ଗ୍ରାମ କମିଟି ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଶିକ୍ଷକ ଶ୍ରୀ ହର୍ଷ ବିଷୋୟୀ ଓ ସମୀର ସ୍ୱାଇଁ ବୈଠକ ପରିଚାଳନା କରିଥିଲେ ।