ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଝିଞ୍ଜିରୀଗୁଡା ପଞ୍ଚାୟତର ଉଲିପଦର ସରକାରୀ ବାଳିକା ଉଚ୍ଚ  ବିଦ୍ୟାଳୟ ପରିସରରେ  ଶନିବାର ଦିନ ‘ଆମେ ଜାଣିବା, ଆମେ ଜିଣିବା ‘ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଏହି ଅବସରରେ ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ମଲ୍ଲିକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସହ ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯକ୍ଷ ବଡ଼ମାଝୀ, ଅଭିଭାବକ ଶରତ ମୁଠା ମାଝୀ ପ୍ରମୁଖ ମଞ୍ଚା ସିନ କରିଥିଲେ । ହିନ୍ଦୀ ଶିକ୍ଷକ ବିଶ୍ବ ରଞ୍ଜନ ମାଣ୍ଡୋଇ ମଞ୍ଚ ସଂଯୋଜନା କରିଥିଲେ । ଅଭିଭାବକ ଓ ଅତିଥିମାନଙ୍କୁ ବିଦ୍ୟାଳୟର ଛାତ୍ରୀମାନେ ଫୁଲ ଚନ୍ଦନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟର ବାର୍ଷିକ ବିବରଣ ପଠନ କରିବା ସହ ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରାଇ ଥିଲେ l ମୁଖ୍ୟବକ୍ତା ଶ୍ରୀମତୀ ପ୍ରଧାନ ଛାତ୍ରୀମାନଙ୍କ ଜୀବନ କୌଶଳ, କଳା ଓ ସୁରକ୍ଷା ସମ୍ପର୍କରେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ । ଛାତ୍ରୀମାନଙ୍କ ଶିକ୍ଷାର ଅଗ୍ରଗତି ନିମନ୍ତେ ଅଭିଭାବକମାନଙ୍କ ଗୁରୁ ଦାୟିତ୍ଵ ରହିଛି l ଅଭିଭାବକମାନଙ୍କ ସହଭାଗିତାରେ ଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଠନ କରାଯାଇ ପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ସହକାରୀ ଶିକ୍ଷକ କମଳ ଦେହୁରୀ ଚଳିତ ବର୍ଷରର ପରୀକ୍ଷା ଫଳ ଘୋଷଣା କରିଥିଲେ । ସହକାରୀ ଶିକ୍ଷକ ଅମିତ କୁମାର ଦୀପ ସରକାରଙ୍କ ଠାରୁ ଆସୁଥିବା ଅନୁଦାନ, ପ୍ରମାଣ ପତ୍ର ଯୋଗାଡ଼, ବ୍ୟାଙ୍କ ଓ ଆଧାର ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଥିବା ଅଭିଭାବକ ଓ ଛାତ୍ରୀମାନଙ୍କୁ ଜଣାଇ ଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।