ଦାରିଙ୍ଗବାଡି ଠାରେ ଦୁଇ ଦିନିଆ ଜନଜାତି ସମ୍ମେଳନ ୨୦୨୫ର ଶୁଭାରମ୍ଭ ପାରମ୍ପାରିକ ଲୋକ ନୃତ୍ୟରେ ଦୁଲୁକିଲା ମଞ୍ଚ…

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡି ବ୍ଲକରେ ପ୍ରାୟ ୬୦ପ୍ରତିଶତ ଜନଜାତି ବା ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଦିନକୁ ଦିନ ଆଦିବାସୀ ପରମ୍ପରା, ସଂସ୍କୃତି ଓ ପାରମ୍ପାରିକ ଚାଷ ଆଦି ଲୋପ ପାଇବାକୁ ବସିଲାଣି । ଏହାକୁ ଦୃଷ୍ଟି ରେ ରଖି ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜାଗୃତି ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ଜାରି ରଖିଛନ୍ତି । ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଦୁଇ ଦିନିଆ ଜନଜାତି ସମ୍ମିଳନୀ-୨୦୨୫ ର ଶୁଭାରମ୍ଭ ହୋଇଛି । ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରଥମ ଦିବସ ରେ , ବସନ୍ତ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କୁଇ କବି ବକଲା ପ୍ରଧାନ, ତାଲିମଦାତା ସୁଶାନ୍ତ ଦଳେଇ, ଗମା ପ୍ରଧାନ, ସରସ୍ବତୀ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଜାତା ପଡ୍ରା ପ୍ରମୁଖ ମଞ୍ଚାସୀନ କରିଥିବା ବେଳେ  ପ୍ରଦୀପ ମଲିକ ମଞ୍ଚ ପରିଚାଳନା କରିଥିଲେ । ପାରମ୍ପାରିକ ବାଦ୍ୟ ଓ ଲୋକ ନୃତ୍ୟ ରେ ଅତିଥିମାନଙ୍କୁ ମଞ୍ଚ ପର୍ଯ୍ୟନ୍ତ ସ୍ୱାଗତ କରାଯାଇଥିଲା । ଏବଂ ଉଦ୍‌ଘାଟନୀ ବେଳେ ଦୀପ ପ୍ରଜ୍ଜ୍ୱଳନ ବଦଳରେ ପାରମ୍ପରିକ ବାଦ୍ୟ ବଜାଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଆୟୋଜିତ କାର୍ଯକ୍ରମରେ  ମଞ୍ଚାସୀନ ଅତିଥିମାନେ କୁଇ ଭାଷା ଓ ଜନଜାତିଙ୍କ ହଜିଯାଉଥିବା ପାରମ୍ପରିକ ପୂଜା, ପାର୍ବଣ, ପାରମ୍ପରିକ ଖାଦ୍ୟ ଓ ବାଦ୍ୟ ଯନ୍ତ୍ର, ସେମାନଙ୍କ ଚଳଣି ଉପରେ ନିଜର ବକ୍ତବ୍ୟ ରଖିବା ସହ  ଏହାର କାରଣ ଓ ନିରାକାରଣ ସମ୍ପର୍କରେ ଆଲୋଚନା  କରିଥିଲେ । ବିଶେଷକରି  ବର୍ତ୍ତମାନ ଯୁଗର ଯୁବପିଢ଼ି ଆଉ ଜନଜାତିଙ୍କ  ମୂଳ ଭାଷା କୁଇ ଭାଷାରେ କଥା ବାର୍ତ୍ତା ନ କରି ନିଜକୁ ଆଧୁନିକ ଯୁଗର ସଭ୍ୟ ସମାଜ ସହିତ ଖାପ ଖୁଆଇ ଅନ୍ୟ ଭାଷା ଓ ସଂସ୍କୃତିକୁ ଆପଣା ଉଛନ୍ତି l ଏପରି ଅନେକ ପରିବର୍ତ୍ତନ ଦ୍ୱାରା ଧିରେ ଧିରେ ଜନଜାତି  ପରମ୍ପରା, ଭାଷା ଓ ସଂସ୍କୃତି ହଜିଯାଉଥିବା ନେଇ ମତ ପ୍ରକାଶ ପାଇଛି । ସେହି ପରି ଜନଜାତିଙ୍କ ପୋଷାକ ପରିଧାନରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି। ପାରମ୍ପରିକ ଖାଦ୍ୟ ଖାଇବା ଛାଡ଼ି ଏବେ ବଜାରରେ ମିଳିଥିବା ଫାଷ୍ଟଫୁଡ୍‌ ଆଦି ଖାଇବା ଦେଖିବାକୁ ମିଳୁଛି । କ୍ଷୁଦ୍ରଦାନା ଶସ୍ୟ ତଥା ମାଣ୍ଡିଆ, କୁଏରୀ, ଜହ୍ନା ଆଦି ଖାଇବାକୁ ଯୁବପିଢ଼ି ପସନ୍ଦ କରୁ ନ ଥିବା ବେଳେ ଚାଷ କାମରେ ମଧ୍ୟ ରୁଚି ରଖୁ ନ ଥିବା ଆଦି ଆଲୋଚନା ହୋଇଛି l ଏଣୁ  ପାରମ୍ପରିକ ଚାଷ ଓ ଅମଳ ହେଉଥିବା ଖାଦ୍ୟର ଗୁଣବତ୍ତା ଓ ସ୍ଵାସ୍ଥ୍ୟ ପକ୍ଷେ ହିତକର ଖାଦ୍ୟ ଖାଇବାକୁ ସଚେତନ କରାଯାଇଥିଲା। ସେହିପରି ପେସା ଆଇନ ସମ୍ପର୍କରେ ଆଲୋଚନା ହେବା ସହ ଏହା ସରକାର ଲାଗୁ କରନ୍ତୁ ବୋଲି କୁହାଯାଇଥିଲା । କାର୍ଯ୍ୟକ୍ରମରେ ପାରମ୍ପରିକ  ଖାଦ୍ୟ ଯଥା ମାଣ୍ଡିଆ କୁଏରୀ ଆଦିରୁ ବିଭିନ୍ନ ସୁସୁଆଦୁ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରାଯାଇଥିଲା ଓ ମଞ୍ଚରେ ଜନଜାତି ମହିଳାମାନେ ପାରମ୍ପରିକ ଖଞ୍ଜଣୀ ନୃତ୍ୟ ସହ ଢୋଲ ମହୁରୀ, ଡେକା, ଚାଙ୍ଗୁ, ବାଦ୍ୟ ପାରମ୍ପାରିକ ବାଦ୍ୟ, ନୃତ୍ୟ ଆଦି ପରିବେଷଣ କରିଥିଲେ ।

csp