ଜିଡ଼ିଂପାଟା ଜଙ୍ଗଲରେ ଚାଲିଛି ବ୍ୟାଙ୍କିଙ୍ଗ ସେବା ଓ ଆବାସ ଯୋଜନା ସର୍ଭେ କାର୍ଯ୍ୟ, ବର୍ଷେ ବିତିଗଲାଣି ସଂଯୋଗ ହୋଇ ପାରୁ ନାହିଁ ବି ଏସ ଏନ୍ ଏଲ ଫୋର୍ – ଜୀ କେବୁଲ୍

ଦାରିଙ୍ଗବାଡି(ଆଶୋକ ସିଂ): ବର୍ଷ ବର୍ଷ ବିତି ଯାଉଛି l ହେଲେ ଇଣ୍ଟର ନେଟ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରୁ ନାହିଁ l ବାରମ୍ଵାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉ ଥିଲେ ମଧ୍ୟ ତାହାକୁ କେହି ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହେଉଛି । ଦିନକୁ ଦିନ ଅଞ୍ଚଳ ବାସୀଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି l କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହି ହେଉ ନାହିଁ । ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଓ ଗଦାପୂର ମଧ୍ୟ ସ୍ଥିତ ଜିଡ଼ିଂପାଟା ଜଙ୍ଗଲରେ l କିଛି ଦିନ ହେଲା ସକାଳୁ ସକାଳୁ  ଭିଡ଼ ଜମୁ ଥିବା ଦେଖିବାକୁ ମିଳୁଛି l ଗୋଟିଏ ପାଖରେ ଚାଲିଛି କିଓସ୍କ ବ୍ୟାଙ୍କ ସେବା ଅନ୍ୟ ପାଖରେ ଚାଲିଛି ଅନ୍ ଲାଇନ୍ ଆବାସ ଯୋଜନା ର ସର୍ଭେ କାର୍ଯ୍ୟ l ଲୋକଙ୍କୁ ପଚାରି ବୁଝିବାରୁ ଜଣା ପଡ଼ିଲା ଯେ ସେହି ସ୍ଥାନରେ କୁଆଡେ଼ ଜିଓ ନେଟ ପାଉଛି ତେଣୁ କିଛି କାମ ଚଳି ଯାଉଛି । ଏଣୁ ଗଦାପୁର କିଓସ୍କ ବ୍ୟାଙ୍କିଙ୍ଗ ଚାଳକ ଯାଦବ ଉଠାଣ ସିଂ ନେଟୱାର୍କ ଖୋଜି ଲୋକଙ୍କୁ ସେବା ଦେବା ପାଇଁ ଜଙ୍ଗଲ ମଧ୍ୟକୁ ଆସିଛନ୍ତି l ସେହିପରି ଗଦାପୁର ପଞ୍ଚାୟତର ଏଡିଓ ବାବୁ ମଧ୍ୟ ଆବାସ ଯୋଜନା ସର୍ଭେ କାର୍ଯ୍ୟ ଚଳାଇ ଥିବା କହିଛନ୍ତି । ସରକାର ସମଗ୍ର ଦେଶକୁ ଡିଜିଟାଲରେ ପରିଣତ କରି ସାରିଲେଣି l ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟ ଅନ୍ ଲାଇନ୍ ଯୋଗେ ହେଉଛି କିନ୍ତୁ ଗ୍ରାମାଞ୍ଚଳ କ୍ଷେତ୍ରରେ ଇଣ୍ଟେରନେଟ୍ ସେବା ଆଜି ଯାଏଁ ପହଞ୍ଚି ପାରି ନାହିଁ । ଅନ୍ୟ ପକ୍ଷରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଛି। ଜଙ୍ଗଲ ମଧ୍ୟରେ କାର୍ଯ୍ୟ କରିବା ସମୟରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନ କଲେ ପରବର୍ତ୍ତୀ ଅଞ୍ଚଳବାସୀଙ୍କ ଆନ୍ଦୋଳନାତ୍ମକ କାର୍ଯ୍ୟ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଅଞ୍ଚଳବାସୀ କହିଛନ୍ତି ।