ଋଷିମାଳ ମହା ବାରୁଣୀ ସ୍ନାନ ଯାତ୍ରାର ଶୁଭାରମ୍ଭ…..

ଦାରିଙ୍ଗବାଡି(ଆଶୋକ ସିଂ): ଚଳିତ ଚୈତ୍ର କୃଷ୍ଣ ଦ୍ଵାଦଶୀ ବୁଧବାର ଠାରୁ କୃଷ୍ଣ ଚତୁର୍ଥୀ ଶୁକ୍ରବାର ପର୍ଯ୍ୟନ୍ତ ତ୍ରିଦିବସୀୟ ବାରୁଣୀ ସ୍ନାନ ଯାତ୍ରାର ଶୁଭାରମ୍ଭ ହୋଇଛି । ଋଷିମାଳ ମହା ବାରୁଣୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ସ୍ନାନ ଯାତ୍ରାର ବୁଡ଼ ପକାଇବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଥିବା ବେଳେ ରାଜ୍ୟ ସ୍ତରରୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେବାର ଆଶା ରହିଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତ ବର୍ଷ ଦାରିଙ୍ଗବାଡି ବ୍ଲକର ଋଷିମାଳ ତୀର୍ଥ କ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିବା ବେଳେ ଏହାର ସମ୍ପ୍ରସାରଣ ଓ ବିକାଶ ପାଇଁ ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଯୋଗୀ ମୁନି ସାଧୁ ସନ୍ଥଙ୍କ ଗହଣରେ ବୁଧବାର ଦିନ ଏହାର ଶୁଭାରମ୍ଭ ହୋଇଥିବା ବେଳେ ସକାଳ ପ୍ରାୟ ୮ଘଣ୍ଟା ଠାରୁ ଜଳ ଯାତ୍ରା, ମଣ୍ଡଳାଧିବାସ, ଅଙ୍କୁରା ରୋପଣ ଯଜ୍ଞ ଶାଳା ସଂସ୍କରଣ ସୂର୍ଯ୍ୟପୂଜା, ନାମ ଆରମ୍ଭ, ପ୍ରସାଦ ସେବନ, ଅଗ୍ନୀ ସ୍ଥାପନ ଆଦି ରୀତି କାନ୍ତି ସମ୍ମାପନ ହୋଇଛି । ଭକ୍ତ ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ଲକ୍ ପ୍ରଶାସନ ପକ୍ଷରୁ  ପାନୀୟ ଜଳ ସମେତ ଟ୍ରଷ୍ଟର ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆ ଯାଇଛି ଏବଂ ଆବଶ୍ୟକ ସ୍ଥଳେ ଜରୁରୀ କାଳୀନ ସୁବିଧା ମଧ୍ୟ ଯୋଗାଇ ଦିଆ ଯିବ ବୋଲି ବିଡ଼ିଓ ପ୍ରୀତି ରଞ୍ଜନ ରଥ କହିଛନ୍ତି । ଥାନା ଅଧିକାରୀ ବିଜୟ କୁମାର ହାଇବୂରୁଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ଥାନା ପୁଲିସ ଓ ସୁରକ୍ଷା କର୍ମୀ ମୂତୟନ ହୋଇ ଆଇନ ଶୃଙ୍ଖଳା ବଜାୟ ରଖିଛନ୍ତି ।