ପୁଣି କନ୍ଧମାଳରେ ଦାଦନ ଦୁଃଖ: ଘୁ.ଉଦୟଗିରି ଯୁବକଙ୍କ କେରଳରେ ମୃତ୍ୟୁ, ଶବ ଫେରାଇ ଆଣିବାକୁ ଗୁହାରୀ କଲେ ପରିବାର ଲୋକେ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳର ପିଛା ଛାଡ଼ୁନି ଦାଦନ ଦୁଃଖ I ରୋଜଗାର ସନ୍ଧାନରେ ବାହାର ରାଜ୍ୟକୁ ଯାଇ ଦୁର୍ଘଟଣା ଓ ମୃତ୍ୟୁର ଶୀକାର ହେଉଛନ୍ତି ଜିଲ୍ଲାର ଯୁବକ ଓ ଯୁବତୀ । ବାରମ୍ବାର ଘଟୁଛି ଏଭଳି ଘଟଣା । କନ୍ଧମାଳ ଜିଲ୍ଲା ପାଇଁ ଏକ ପ୍ରକାର ଅଭିଶାପ  ପାଲଟିଛି ଦାଦନ ଯନ୍ତ୍ରଣା I ପୁଣି ସେହିଭଳି ଏକ ଦୁଃଖଦ ଖବର ଏବେ ପହଞ୍ଚିଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ କନବାଗେରୀ ପଣସନାଜୁ ସାହିର ସ୍ବର୍ଗତ ସନାତନ ପ୍ରଧାନଙ୍କ ପୁଅ ରତ୍ନଦୀପ ପ୍ରଧାନ (୩୫)ଙ୍କ କେରଳରେ ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I
<span;>ସୂଚନା ଅନୁଯାୟୀ, ପ୍ରାୟ ସପ୍ତାହେ ତଳେ ରତ୍ନଦୀପ କେରଳକୁ  ଦାଦନ ଖଟିବା ପାଇଁ ଯାଇ ଥିଲେ I ସେଠାରେ ୟେଲେପି ଜିଲ୍ଲାରେ ରହୁଥିବା କିଛି ସାଙ୍ଗଙ୍କ ସହିତ ସେ ରହୁଥିଲେ । କାମ ସନ୍ଧାନରେ କେରଳର ତେରେମ ବାବୁ, କୁରପୁମପଡ଼ି ଭଳି ବିଭିନ୍ନ ସ୍ଥାନ ବୁଲି ମଧ୍ୟ କାମ ପାଇ ନଥିଲେ । ଶେଷରେ ସେ ମାନସିକ ଭାରସାମ୍ୟ ହରାଇ ଥିଲେ । ଫଳରେ ତାଙ୍କୁ ଏର୍ଣ୍ଣାକୁଲମ ଜିଲ୍ଲାରେ ରହୁଥିବା ଅନ୍ୟ କିଛି ସାଙ୍ଗଙ୍କ ପାଖରେ ଛାଡିବା ପାଇଁ ବସରେ ନେଇ ଯାଇଥିଲେ ତାଙ୍କ ବନ୍ଧୁମାନେ। ତେବେ ବାଟରେ ସେ ବସରୁ ଓହ୍ଲାଇ କେଉଁଆଡେ ଚାଲିଯାଇଥିଲେ । ବୁଧବାର ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପାଇ ପୁଲିସ ପହଞ୍ଚି ଶବ ଜବତ କରିଥିଲା । ମୃତ ଯୁବକଙ୍କ ଫଟୋ ପୁଲିସ ପକ୍ଷରୁ ସୋସିଆଲ ମିଡିଆରେ ପ୍ରସାରିତ କରାଯିବା ପରେ ଏର୍ଣ୍ଣାକୁଲମରେ ଥିବା ସାଙ୍ଗ ତାଙ୍କୁ ଚିହ୍ନି ପାରି ଏର୍ଣ୍ଣାକୁଲମ ଜିଲ୍ଲା ମୁଭାଟୁପୁଝା ସ୍ଥିତ ସରକାରୀ ଚିକିତ୍ସାଳୟରେ ପହଞ୍ଚି ଶବ ଚିହ୍ନଟ କରିଥିଲେ । ମୃତ ଦେହ ଏବେ ସେଠାକାର ଡାକ୍ତରଖାନାରେ ରହିଛି । ଫେରାଇ ଆଣିବା ପାଇଁ ପରିବାର ପାଖରେ ସମ୍ବଳ ନାହିଁ । ତେଣୁ ମୃତକଙ୍କ ମାଆ ଲିଲିମା ପ୍ରଧାନ, ଭାଇ ଭଉଣୀ ଓ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଗୁହାରୀ କରିଛନ୍ତି ଶବ ଫେରାଇ ଆଣିବା ପାଇଁ । ଏପଟେ ରତ୍ନଦୀପଙ୍କ ମୃତ୍ୟୁକୁ ନେଇ କନବାଗେରିରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l