ମଦ ଦୋକାନ ଲୁଟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଏକ ଆନ୍ତଜିଲ୍ଲା ଲୁଟେରା ଗ୍ୟାଙ୍ଗର ୫ଜଣକୁ ଭଞ୍ଜନଗର ପୁଲିସ ଧରିବାରେ ସଫଳ ହୋଇଛି । ଏହି ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଥିବା ବିଦେଶୀ ମଦ ଦୋକାନକୁ ଟାର୍ଗେଟ କରି ରାତ୍ର ସମୟରେ ଲୁଟ କରୁଥିଲେ ।  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସମେତ  ଦୁର୍ବୃତ୍ତମାନେ ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା,ଗଞ୍ଜାମରେ ଗୋଟିଏ ପରେ ଗୋଟିଏ ମଦ ଦୋକାନରୁ ଚୋରି କରିଥିବା ଅଭିଯୋଗ ହୋଇଛି । ଏହି ଚୋର ଗ୍ୟାଙ୍ଗ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲା । ବାରମ୍ବାର ଚୋରି ଯୋଗୁ ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକାଧିକ ଟିମ୍‌ ଗଠନ କରିଥିଲେ ।  ଗତ ୮ ତାରିଖରେ ଦୁର୍ବୃତ୍ତମାନେ ଭଞ୍ଜନଗର-ବାଉଁଶଲୁଣ୍ଡି ମୁଖ୍ୟ ସଡ଼କରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି କରିଥିଲେ । ଦୁର୍ବୃତ୍ତମାନେ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ । ଏନେଇ ଦୋକାନ ମାଲିକ ମନୋଜ ସାହୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ । ଥାନାଧିକାରୀ ଜୀବନାନନ୍ଦ ଜେନା ଘଟଣାକୁ ଗୁରୁତର ସହ ନେଇ କେସନଂ ୨୩୯/୨୫ରେ ଏକ ମାମଲା ରୁଜୁ କରି ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, କନେଷ୍ଟବଳ କେ.ପି ରେଡ଼ି, ଗଜେନ୍ଦ୍ର ସ୍ୱାଇଁ ଓ ସନ୍ତୋଷ ନାୟକକୁ ନେଇ ସ୍ୱତନ୍ତ୍ର ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ପୁଲିସ୍ ସିସିଟିଭି ଫୁଟେଜ ଓ ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ରବିବାର ୫ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ତଦନ୍ତ ପରେ ଅଭିଯୁକ୍ତମାନେ ଛତ୍ରପୁର, ରମ୍ଭା, ଗଞ୍ଜାମ, ବେଗୁନିଆପଡା ବିଦେଶୀ ମଦ ଦୋକାନରୁ ଚୋରି ଘଟଣାରେ ସାମିଲ ଥିବା ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳି ଥାନା ବୁରୁପଡାର ବବୁଲୁ ଦଳାଇ, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା । ଏଥିସହ ସେମାନଙ୍କଠାରୁ ଗୋଟିଏ କାର ଗାଡ଼ି, ଲୁଟରେ ବ୍ୟବହୃତ ଶାବଳ ସମେତ ଏକ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି । ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଥାନାର ପ୍ରୋବେସନାର ଆଇପିଏସ୍‌ ଅଧିକାରୀ ମନୀଷା ସୁଗୁନ ଅଭିଯୁକ୍ତମାନଙ୍କ ଗିରଫ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ । ଅଭିଯୁକ୍ତମାନଙ୍କ ନାମରେ ରାଜ୍ୟର ବିଭିନ୍ନ ଥାନାରେ ମାମଲା ଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ସୁଜିତ କୁମାର ନାୟକ କହିଛନ୍ତି । ଥାନାଧିକାରୀ ଜୀବନାନନ୍ଦ ଜେନା, ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ର, ଏସ୍‌ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ବାଳ,ବିଦେଶୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।