ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସି ର ୯ ଟି ୱାର୍ଡ଼ ରେ ହେବାକୁ ଥିବା ରାସ୍ତା, ଡ୍ରେନ କାର୍ଯ୍ୟ ଗୁଡ଼ିକ ନିମନ୍ତେ ସମୁଦାୟ ୧୮ ଟି ପ୍ରକଳ୍ପ ପାଇଁ ଅଟକଳ ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କାର ପେପର ଟେଣ୍ଡର ମାଧ୍ୟମରେ ଚଳିତ ମାସ ୭ ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା । ଉକ୍ତ ପେପର ଟେଣ୍ଡରକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କାଉନସିଲରଙ୍କ ମଧ୍ୟରେ ଅସନ୍ତୋଷ ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି I ସୂଚନା ଅନୁସାରେ ପରିଷଦ ମଧ୍ୟରେ ଥିବା ୧, ୪, ୬, ୧୨ ନମ୍ବର ୱାର୍ଡ଼କୁ ବାଦ୍ ଦେଇ ଅନ୍ୟ ସମସ୍ତ ୱାର୍ଡ଼ ଗୁଡ଼ିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ଯଥା ୱାର୍ଡ ନମ୍ବର-୨ ଶଙ୍ଖସାହିରେ ଦୁଇଗୋଟି ନୂତନ ଡ୍ରେନନିର୍ମାଣ, ୱାର୍ଡ ନମ୍ବର-୩ କନ୍ଧସାହିରେ ଦୁଇଗୋଟି ପେଭର ରୋଡ଼, ୱାର୍ଡ ନମ୍ବର-୫ କ୍ଲବସାହିରେ ଦୁଇଗୋଟି ପେଭର ରୋଡ଼, ୭ ନମ୍ବର ୱାର୍ଡ ବେହେରା କଲୋନୀ ବନ୍ଧର ପାହାଚ ଓ ଗାର୍ଡ ୱାଲ ନିର୍ମାଣ, ୱାର୍ଡ ନମ୍ବର-୮ ନୁଆସାହିରେ ଦୁଇ ଗୋଟି ପେଭର ରୋଡ଼,ୱାର୍ଡ ନମ୍ବର -୯ରେ ଦୁଇ ଗୋଟି ପେଭର ରୋଡ଼, ୱାର୍ଡ ନମ୍ବର -୧୦ ମହାଗୁଡ଼ା ସାହି ରେ ଦୁଇ ଗୋଟି ପେଭର ରୋଡ଼ ନିର୍ମାଣ, ୱାର୍ଡ଼ ନମ୍ବର -୧୧ ହାତୀବାଲିରେ ଦୁଇ ଗୋଟି ପେଭର ରୋଡ଼ ନିର୍ମାଣ, ୱାର୍ଡ -୧୩ ରେ ଦୁଇଟି ପେଭର ରୋଡ଼ ନିର୍ମାଣ ନିମନ୍ତେ ଟେଣ୍ଡର ବାହାରି ଥିଲା I ୧୯ ମାର୍ଚ୍ଚ ଉକ୍ତ ଟେଣ୍ଡର ଆବେଦନର ଶେଷ ଦିନ ଥିବା ବେଳେ ୨୦ ତାରିଖରେ କାର୍ଯ୍ୟାଳୟରେ ଟେଣ୍ଡର ଖୋଲା ଯିବା ନେଇ ଦିନ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଉକ୍ତ ୱାର୍ଡ଼ କାଉନସିଲରମାନେ ଉକ୍ତ ପ୍ରକଳ୍ପ ଗୁଡ଼ିକ ଅନାବଶ୍ୟକ ବର୍ତ୍ତମାନ ଆବଶ୍ୟକ ନୂହେଁ ତଥା ଭବିଷ୍ୟତରେ ସରକାରଙ୍କ ତରଫରୁ ଅଧିକ ଅନୁଦାନ ରାଶି ଆସିଲେ ଉକ୍ତ କାର୍ଯ୍ୟଗୁଡ଼ିକ କରାଯିବ ତେଣୁ ଏହି ଟେଣ୍ଡରକୁ ବାତିଲ କରାଯାଉ ବୋଲି ବ୍ୟକ୍ତିଗତ ଭାବେ ସମସ୍ତ କାଉନସିଲର ଉଲ୍ଲେଖ କରି ଲିଖିତ ଦରଖାସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦେଇଥିଲେ କିନ୍ତୁ ଉକ୍ତ କାମ ଗୁଡ଼ିକ ଖଣ୍ଡେ ଖଣ୍ଡେ ରହିଥିବା କାରଣରୁ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଟେଣ୍ଡର ଆହ୍ବାନ କରାଯାଇଥିବା କହିଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ । କାଉନସିଲରମାନଙ୍କ ଦାବି ଅନୁସାରେ ଅନାବଶ୍ୟକ ଓ ବିନା ରେଜୁଲେସନରେ ହୋଇଥିବା କାର୍ଯ୍ୟର ଟେଣ୍ଡର ବାତିଲ କରିବା ପାଇଁ ଗୁରୁବାର କାର୍ଯ୍ୟାଳୟରେ ଅଶାନ୍ତିର ବାତାବରଣ ଦେଖା ଦେବା ସହ କାର୍ଯ୍ୟାଳୟର ମୁଖ୍ୟ ଦ୍ୱାର ତାଲା ବନ୍ଦ କରିଥିଲେ I ଘୁ.ଉଦୟଗିରି ଏନଏସିର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ବାତିଲ କରିବା ନିମନ୍ତେ ଗୁରୁବାର ଦିନ ପରିଷଦ କାର୍ଯ୍ୟାଳୟରେ ହଟଗୋଳ ପରେ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମିତା ଶତପଥି, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସାହୁ, ଟେଣ୍ଡର କମିଟିରେ ଥିବା ଅଧିକାରୀ ସ୍ଥାନୀୟ ତହସିଲଦାର ଫାଲ୍ଗୁନୀ କୁମାର, ଏମଇ ଅସିତ କୁମାର ସେଠୀ ଉପସ୍ଥିତ ଥିବା ବେଳେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ I ଶେଷରେ ଟେଣ୍ଡରରେ ବାହାରିଥିବା ଉକ୍ତ ୱାର୍ଡ଼ ଗୁଡ଼ିକର କାମ ଅତି ଆବଶ୍ୟକ ନଥିବା ଓ ରେଜୁଲେସନ ହୋଇନଥିବା ନେଇ କାଉନସିଲରମାନଙ୍କ ଲିଖିତ ଦରଖାସ୍ତକୁ ଆଧାର କରି ଟେଣ୍ଡର କମିଟିର ନିଷ୍ପତି ପ୍ରକାରେ ଗୁରୁବାର ଖୋଲିବାକୁ ଥିବା ଟେଣ୍ଡର ବାତିଲ ହୋଇଥିବା ନେଇ ସୂଚନା ମିଳିଛି I