ଗ୍ରୀଷ୍ମ ପହିଲାରୁ ଜଳ କଷ୍ଟ: କୁଟଲାରିଗାଁ ସମେତ ତିନି ପଡ଼ାଗାଁରେ ପାନୀୟ ଜଳର ଘୋର ଅଭାବ, ଚୁଆ ପାଣିରେ ରନ୍ଧା ହେଉଛି ସ୍କୁଲ ଓ ଅଙ୍ଗନବାଡ଼ିର ମଧ୍ୟାହ୍ନ ଭୋଜନ….
ଦାରିଙ୍ଗବାଡ଼ି(ଆଶୋକ ସିଂ): ଗ୍ରୀଷ୍ମ ପହିଲାରୁ ଦୁର୍ଗମ ଅଞ୍ଚଳରେ ଦେଖାଦେଇଛି ଜଳ କଷ୍ଟ । ନଇଁ ନାଳ, କୂଅରେ ଦେଖାଦେଇଛି ଜଳାଭାବ l ନଳକୂପ ଗୁଡ଼ିକ ଅଚଳ ହୋଇ ପଡି ରହିଥିବା ବେଳେ ଯେତିକି ବି ଚାଲିଛି ତାହା ପିଇବା ଯୋଗ୍ୟ ନୁହେଁ l ନଳକୂପ ପାଣିରେ ରୋଷେଇ କଲେ ଭାତ କଳା ପଡିଯାଉଛି l ପାଣିର ରଙ୍ଗ ବଦଳି ଯାଉଛି l ବାଧ୍ୟ ହୋଇ ଚୁଆ ପାଣି ବ୍ଯବହାର କରୁଛନ୍ତି ଗ୍ରାମ ବାସୀ । ଚୁଆଁ ପାଣିରେ ରନ୍ଧା ହେଉଛି ମଧ୍ୟାହ୍ନ ଭୋଜନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ୍ ଝିଞ୍ଜିରାଗୁଡ଼ା ପଞ୍ଚାୟତର ରାଜସ୍ବ ଗ୍ରାମ କୁଟୁଲାରି ଗାଁ ସମେତ ତିନୋଟି ପଡ଼ା ଗ୍ରାମ ସାଙ୍ଗଡମା, ବାଘପଦା ଓ ପାଡ଼ିପଙ୍କାରେ । କୁଟୁଲାରି ଗାଁ’ର ପୁଡାସାହିରେ ଗୋଟିଏ ନଳକୂଅ ରହିଥିବା ବେଳେ ମଝିସାହିରେ ନଳକୂଅ ନାହିଁ ବଡସାହିରେ ଦୁଇଟି ନଳକୂଅ ଅଛି ହେଲେ ତିନୋଟି ନଳକୂଅରେ କୁଆଡେ ପାଣି ହିଁ ନାହିଁ । ସେହିଭଳି କୁଟୁଲାରିଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ନଳକୂଅଟିଏ ରହିଛି l ଏହି ନଳକୂଅରୁ ବି ପାଣି ବାହାରୁ ନାହିଁ l ସାଙ୍ଗଡ଼ମା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ପରିସରରେ ନଳକୂଅ ଖନନ କରାଯାଇଛି l ହେଲେ ଏଠାରେ ମଧ୍ୟ ସମାନ ଅବସ୍ଥା ବହୁ ସମୟ ମାରିବା ପରେ ବଡ଼ କଷ୍ଟରେ କଳଙ୍କି ଯୁକ୍ତ ପାଣି ବାହାରୁ ଥିବା ଶିକ୍ଷକ ଓ ମଧ୍ୟାହ୍ନଭୋଜନ ରାନ୍ଧୁ ଥିବା ପାଚିକା କହିଛନ୍ତି । ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭୋଜନ ରେଷେଇ ପାଇଁ ବିଲ ଓ ନାଳ ପାଣିରେ ପ୍ରସ୍ତୁତ ହେଉଥିବା ଗ୍ରାମବାସୀ କହିଛନ୍ତି । କୁଟୁଲାରିଗାଁ ଓ ପଡ଼ା ଗ୍ରାମ ବାଘପଦା ମିଶି ୧୧୦ ପରିବାରର ୬୦୦ରୁ ଅଧିକ ଲୋକ ବସବାସ କରୁଥିବା ବେଳେ ବାଧ୍ୟହୋଇ ପାନୀୟ ଜଳ ପାଇଁ ଗାଁ ଠାରୁ ପ୍ରାୟ ୧ କିମି. ଦୂର ଗାଟେମାହା ଓ ସୁଜିମାହାରେ ମିଳିତ ଭାବେ ଚୁଆ ତିଆରି କରି ପାଣି ବ୍ୟବହାର କରିବାକୁ ଦେଖିବାକୁ ମିଳିଛି । ବଡ଼ସାହି ଓ ବାଘପଦା ଲୋକ ଗାଟେମାହା ବିଲର ଝରଣାପାଣିକୁ ପଥର ବନ୍ଧେଇ କରି ପାନୀୟଜଳ ଭାବେ ବ୍ୟବହାର କରୁଥିବା ବେଳେ ପୁଡ଼ାସାହି ବାସିନ୍ଦା ସୃଜିମାହା ନାଳର ପଥର କୋରଡ଼ର ପାଣି କୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ୱାର୍ଡସଭ୍ୟ ଦିବାକର ମଳିକଙ୍କ ସମେତ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଓଟି ଏଲ୍ ପି ଜରୀଆରେ ପାହାଡ଼ ଝରଣା ପାଣିକୁ ଗ୍ରାଭିଟି ଫ୍ଲୋ ଜରୀଆରେ ପାଣି ସପ୍ଲାଇ କରଯାଇଥିଲା ଗତ ଦୁଇ ବର୍ଷ ହେବ ତାହା ଆଉ କାମ କରୁ ନାହିଁ । ପାନୀୟ ଜଳ ଯୋଗାଣ ପାଇଁ କୁଟୁଲାରିଗାଁ ଗ୍ରାମବାସୀ ବ୍ଲକ ପ୍ରଶାସନଙ୍କୁ ଲିଖିତ ଭାବେ ଜଣାଇ ଥିଲେ । ଏହାରି ମଧ୍ୟରେ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣର କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ । ଗ୍ରାମବାସୀଙ୍କ କହିବା କଥା ଏହି ବର୍ଷ ଏପ୍ରିଲ ମାସ ଶେଷ ଆଡ଼କୁ ଝରଣା ପାଣି ଶୁଖିଯିବା ଆଶଙ୍କା ରହିଛି । ଏଣୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବ୍ଲକ୍ ପ୍ରଶାସନ ପାନୀୟଜଳ ସମସ୍ୟା ଯଦି ସମାଧାନ ନ କରନ୍ତି, ତେବେ ଗ୍ରାମବାସୀ ସମୂହ ଏପ୍ରିଲ ପହିଲାରୁ ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସିବା ନେଇ ନିଷ୍ପତ୍ତ କରିଥିବା କହିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଚାନ୍ଦିନୀ ପ୍ରଧାନଙ୍କୁ ପଚାରିବାରୁ ସେ ବ୍ଲକ ପ୍ରଶାସନକୁ ସମିତି ବୈଠକ ରେ ଲିଖିତ ଜଣା କରିଥିବା କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଇ ଜନସାଧାରଣଙ୍କ ବୃହଡ ସ୍ୱାର୍ଥକୁ ଦୃଷ୍ଟି ରେ ରଖି ତୁରନ୍ତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ କହିଛନ୍ତି ।