ସୁଭଦ୍ରା ଯୋଜନା ସଚେତନା ଶୋଭାଯାତ୍ରା ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ୨୫ଟି ପଞ୍ଚାୟତରେ ବୁଧବାର ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କିତ ସଭା ଓ ଶୋଭାଯାତ୍ରା ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ସିଡିପିଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବ୍ଲକ ହେଡକ୍ୱାଟର ଦାରିଙ୍ଗବାଡି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଦାରିଙ୍ଗବାଡିର ବସଷ୍ଟାଣ୍ଡ ସମେତ ଚାରି ଛକ, ତିନିଛକ ଆଦି ଶୋଭାଯାତ୍ରାରେ ଯାଇ ସୁଭଦ୍ରା ଯୋଜନାର ଫାଇଦା ସମ୍ପର୍କରେ ଜନ ସଚେତନ କରାଯାଇଥିଲା । ସେହିପରି ବ୍ରାହ୍ମଣୀଗାଁ ପଞ୍ଚାୟତର ଅଙ୍ଗନୱାଡ଼ି ସୁପର ଭାଇଜରଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଓ ମହିଳାମାନେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବା ପରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଏବଂ ଶୋଭାଯାତ୍ରା ଜରୀଆରେ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନା କରିବା ସହ ମହିଳାମାନେ କିପରୀ ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା ହୋଇଥିଲା । ଏହି ଯୋଜନାରେ ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ବାବଲମ୍ବୀ ହୋଇପାରିବେ କ୍ଷୁଦ୍ର ବ୍ୟବସାୟ, ଚାଷ ସମେତ କୁକୁଡ଼ା ପାଳନ, ଗେଣ୍ଡୁ ଫୁଲ ଚାଷ, ଉଦ୍ୟାନ କୃଷି ଆଦି କରି କିଭଳି ସ୍ବାବଲମ୍ବୀ ହେବେ ସେନେଇ ପରାମର୍ଶ ଦିଆଯାଇଥିଲା ।