ବସନ୍ତର ଆଗମନରେ ମନ ମୋହୁଛି ଆମ୍ବ ବଉଳ…

ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ବସନ୍ତର ଆଗମନରେ ସଜେଇ ହୋଇଛି ଧରଣୀରାଣୀ । ବସନ୍ତ ଆସିବା ସହ ସାଥିରେ ନେଇ ଆସିଛି ଆମ୍ବ ବଉଳର ସମ୍ଭାର । ଆମ୍ବଗଛରେ ଝୁଲୁଛି ପେନ୍ଥାପେନ୍ଥା ବଉଳ । ବସନ୍ତର ମୃଦୁ ମଳୟ ସାଙ୍ଗକୁ ବଉଳର ମହକରେ ମହକି ଉଠୁଛି ପରିବେଶ । ପହିଲି ଆମ୍ବ ବଉଳର ମହୁଲି ବାସ୍ନାରେ ପ୍ରକୃତି ମନରେ ଉନ୍ମାଦନା ସୃଷ୍ଟି ହେଉଛି । ଭାବୁକ ମନରେ ଭାବ ଭରି ଦେଉଥିବା ଏହି ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି ପ୍ରାକୃତିକ ଗନ୍ତାଘର କୁହାଯାଉଥିବା କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଳକର ବିଭିନ୍ନ ଆମ୍ବ ତୋଟା ମାନଙ୍କରେ । ଆମ୍ବ ବଉଳର ସମ୍ଭାର ଜିଲ୍ଲାର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିଛି । ଯାହା ପଥିକ ଟିଏକୁ ବାଟବଣା କରୁଥିବା ବେଳେ କବିକୁ ଆନମନା କରୁଛି । ସୁନ୍ଦରତାର ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାକୁ ଛୁଇଁଛି ବସନ୍ତ । ବସନ୍ତର ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ରାବ ପରିବେଶରେ ଏକ ପ୍ରେମର ବାର୍ତ୍ତା ଦେଉଛି । ପତ୍ରଝଡ଼ା ପରେ ପରେ ବୃକ୍ଷରାଜି ନବପଲ୍ଲବ ଧାରଣ କରୁଛନ୍ତି । ଫଗୁଣ ମାସରେ ଆମ୍ବଗଛରେ ପେନ୍ଥା ପେନ୍ଥା ହୋଇ ଝୁଲୁଥିବା ବଉଳ ନିଜକୁ ପୁଷ୍ପବତୀ ଫଳବତୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ମନରେ ଆନମନା ଭରି ଦେଉଛି । ବସନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ଯାହା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ପଥିକଟିଏ ମଧ୍ୟ ଘଡ଼ିଏ ଅଟକି ଯାଉଛି । କ୍ଳାନ୍ତି ଦୂର ପାଇଁ ବାଟୋଇଟିଏ ଗଛ ମୂଳେ କ୍ଷଣିକଟିଏ ବସି ପଡିଲେ ମନରେ ଆସିଯାଉଛି ଅସୁମାରୀ ଶାନ୍ତି । ଆଉ ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ବର ଅବାଳ ବୃଦ୍ଧ ବନିତାଙ୍କୁ ଆନମନା କରୁଛି ।