– ସବୁ ଜିଲ୍ଲା, ବ୍ଲକ ଓ ଜିଲ୍ଲା ପରିଷଦ ଜୋନରେ ଆୟୋଜିତ ହେବ ସର୍ବୋଦୟ ସଂକଳ୍ପ ଶିବିର
– ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ
– ସଂଗଠନ ସହିତ ସଂଘର୍ଷ କୁ ଅସ୍ତ୍ର କରି କଂଗ୍ରେସ ଲଢିବ ପଞ୍ଚାୟତ ନିର୍ବାଚନ

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ପ୍ରଦେଶ କଂଗ୍ରେସର ଛାମୁଆ ସଂଗଠନ ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଏକ ରାଜ୍ୟସ୍ତରୀୟ ଚିନ୍ତନ ଶିବିର ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୨୦୨୭ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଓ ରଣ କୌଶଳ ପ୍ରସ୍ତୁତି ଥିଲା ଚିନ୍ତନ ଶିବିରରେ ମୁଖ୍ୟ ଆଲୋଚ୍ୟ ବିଷୟ । ସଂଗଠନର ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଚିନ୍ତନ ଶିବିରକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦଘାଟନ କରି କହିଥିଲେ ଯେ କଂଗ୍ରେସ ଦଳ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏକ ନମ୍ବର ଦଳ ହେବ ରାଜ୍ୟରେ ଏବଂ ଖୁବ୍ କମ ରେ ୬୦୦ ଜିଲ୍ଲା ପରିଷଦ ଆସନ ଜିତିବାର ଲକ୍ଷ୍ୟ ରଖିଛି । ସେଥିପାଇଁ ତୃଣମୂଳ ସ୍ତରରେ ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତର ପର୍ଯ୍ୟନ୍ତ ସଂଗଠନ ଓ ସଂଘର୍ଷ ପାଇଁ ସେ ଆହ୍ବାନ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ଯୋଗ ଦେଇ ଗାନ୍ଧୀଙ୍କ ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ ରାଜନୀତିକୁ ତୃଣ ମୂଳରେ ପହଞ୍ଚାଇ ପାରିଲେ କଂଗ୍ରେସ ଦଳ ମଜଭୁତ ହୋଇ ପାରିବ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା ଯୋଗ ଦେଇ ପଞ୍ଚାୟତ ବ୍ୟବସ୍ଥାର ଲକ୍ଷ୍ୟ କିପରି ପଥ ଭ୍ରଷ୍ଟ ହୋଇଛି ତାର ଅବତାରଣା କରିବା ସହିତ କ୍ଷମତାର ବିକେନ୍ଦ୍ରୀକରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ନାରୀନେତ୍ରୀ ନିରୁପମା ପାତ୍ର, ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ସର୍ବ ଭାରତୀୟ ନେତା ସଚିନ ନାୟକ, ସାଧାରଣ ସମ୍ପାଦକ କୁନାଲ ବାନାର୍ଜୀ ପ୍ରମୁଖ ଉଦ୍ଘାଟନୀ ଅଧିବେଶନରେ ବକ୍ତବ୍ୟ ରଖିଥିଲେ । ଉଦ୍ଘାଟନୀ ଅଧିବେଶନ ପରେ ୩୦ଟି ଜିଲ୍ଲାର ପ୍ରତିନିଧିମାନେ ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲା, ବ୍ଲକ ଓ ଜୋନ ସ୍ତରରେ ସର୍ବୋଦୟ ସଂକଳ୍ପ ଶିବିରମାନ ଚଳିତ ବର୍ଷ ଶେଷ ସୁଦ୍ଧା ଆୟୋଜିତ ହେବ । ସେହି ଶିବିର ମାଧ୍ୟମରେ ସଂଗଠନକୁ ବିସ୍ତାରିତ କରିବା ସହିତ ନୂଆ ନୂଆ ସାଥିଙ୍କୁ ସଂଗଠନ ସହିତ ଜଡ଼ିତ କରିବା ପାଇଁ ପ୍ରୟାସ ନିଆଯିବ । ପଞ୍ଚାୟତର ସ୍ୱର, ଓଡ଼ିଶାର ସ୍ୱର ଶୀର୍ଷକ ଯାତ୍ରା ଓଡ଼ିଶା ସାରା ଆୟୋଜିତ ହେବ । ପ୍ରତି ପଞ୍ଚାୟତରେ ଚା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗ ଉପରେ ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ବାନ ଦିଆ ଯାଇଥିଲା l ଏହି ଚିନ୍ତନ ଶିବିରକୁ ବିଜୟ ପ୍ରଧାନ ସଞ୍ଚାଳନ କରିଥିଲେ ଏବଂ ରୂପକ ତୁରୁକ, ସରୋଜ ବଳ, ପ୍ରଦ୍ୟୁମ୍ନ ଦାସ, ପ୍ରତାପ ପ୍ରଧାନ, ଗଣେଶ ସାହୁ, ସନ୍ତୋଷ ଜେନା, ପଦ୍ମ ଲୋଚନ ବେହେରା, ସୁରେଶ ଚୌଧୁରୀ, ନିରଞ୍ଜନ ଲେଙ୍କା, ପ୍ରଭାସିନୀ ରାଉତ, ପାଣ୍ଡବ କର୍ଣ୍ଣ, ଲବ କୁମାର ସାହୁ, ମୀନକେତନ ବେହେରା, ସୁଦର୍ଶନ ପାଇକରାୟ, ସୁବାସ ପ୍ରଧାନ, ପ୍ରତାପ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବନ୍ଦେ ମାତରଂ ଓ ଜୟ ଜଗତ ଗୀତରୁ ଆରମ୍ଭ ହୋଇଥିଲା ଶିବିର ଓ ଜାତୀୟ ସଙ୍ଗୀତ ଗାନରେ ସମାପ୍ତ ହୋଇଥିଲା ଚିନ୍ତନ ଶିବିର ।