ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ମିନି ଷ୍ଟାଡିୟମ ପରିସରରେ ଆଜି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଅଛି । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ତଥା ବୈଷୟିକ ଶିକ୍ଷା ବିଭାଗ. ଓ ଗଜପତି ଜିଲ୍ଲା ପ୍ରଶାସନର ସୌଜନ୍ୟତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଜୟ କୁମାର ଦାଶ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ଶିଳ୍ପ ସଂଚାଳକ ଗଜପତି ସୁନା ରାମ ସିଂ, ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପାରଳାଖେମୁଣ୍ଡି ଆର୍.ଏସ.ଇ.ଟି.ଆଇ(RSETI) ନିର୍ଦ୍ଦେଶକ ଶ୍ରବଣ କୁମାର ପ୍ରଧାନ, ରାୟଗଡବ୍ଲକ ଉପାଧ୍ୟକ୍ଷ ଜ୍ୟୋତି ପ୍ରକାଶ ପାଣି, ରାୟଗଡ଼ ତହସିଲଦାର ତଥା ବିଡ଼ିଓ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ନିଯୁକ୍ତି ମେଳାରେ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୭୪୬ଜଣ ଯୁବକ ଓ ଯୁବତୀମାନେ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ୬୨୬ ଜଣଙ୍କୁ ଚୟନ କରଯାଇଛି । ଆଜିର ନିଯୁକ୍ତି ମେଳାରେ ୪୦ ଗୋଟି ସଂସ୍ଥା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉକ୍ତ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ କମ୍ପାନୀମାନେ ଯୋଗଦେଇ ପ୍ରତ୍ୟେକ ନିଯୁକ୍ତିର ସୁଯୋଗ ପ୍ରଦାନ କରିବା ସହିତ କିଛି ଘରୋଇ କମ୍ପାନୀ ତାଲିମ୍ ପ୍ରଦାନ ପରେ ନିଯୁକ୍ତି ପ୍ରଦାନ କରିବେ । ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିବାଶିଷ ସାହୁ, ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ । ପେସା ସଂଯୋଜକ ଶ୍ରୀଧର ଦାସ ପରିଚାଳନାରେ ସହଯୋଗ କରି ଥିଲେ ।