ଦାରିଙ୍ଗବାଡି(ଆଶୋକ ସିଂ): ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବରରେ ମହା ଶିବରାତ୍ରି ପର୍ବ ତିନିଦିନ ଧରି ବ୍ରାହ୍ମଣୀଗାଁରେ.ପାଳିତ ହୋଇଯାଇଛି । ଏହା ବୁଧବାର ଦିନ ଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ଉଦଯାପିତ ହୋଇଛି । ବୁଧବାର ଦିନ ସକାଳ ୯ ଘଣ୍ଟାରେ ସମସ୍ତ ପୁଜା ଅର୍ଚ୍ଚନା କରି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବଡ଼ ଶଙ୍ଖ ଠାରୁ ଗ୍ରାମର ମହିଳାମାନେ ବୁଡ଼ ପକାଇ କଳସରେ ଜଳ ଭରି ଶିବ ମନ୍ଦିର ପର୍ଯ୍ୟନ୍ତ ନଦିଆ କୀର୍ତ୍ତନ ସହ ଶୋଭାଯାତ୍ରା କରିଥିଲେ l ଅପରାହ୍ନରେ ମହାପ୍ରଭୁଙ୍କ ନଗର ପରିକ୍ରମା ପରେ ରାତ୍ର ପ୍ରାୟ ୧୦ଟା ସମୟରେ ମହାଦୀପ ଅର୍ପଣ କରିଥିଲେ । ଭକ୍ତମାନେ ଉପବାସ ସହ ଉଜାଗର ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଜାଗର ରାତ୍ରୀ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ମହାନ ପୌରାଣିକ ନାଟକ ରାମାୟଣ ନାଟକ ମଞ୍ଚସ୍ଥ କରାଯାଇ ଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପର ଦିନ ରାତିରେ ମହାଭାରତ ଭଳି ପୌରାଣିକ ନାଟକ ମଞ୍ଚସ୍ଥ କରାଯାଇଥିଲା । ପୁରୋହିତ ଦଣ୍ଡପାଣି ତ୍ରିପାଠୀଙ୍କ ପୌରାହିତ୍ୟରେ ଯଜ୍ଞ କାର୍ଯ୍ୟ ନିର୍ବାହନ କରଯାଇଥିବା ବେଳେ ଗ୍ରାମ୍ୟ ମନ୍ଦିର ପରିଚାଳନା କମିଟି ତରଫରୁ ମହାଶିବରାତ୍ରୀ ଜାଗର ଯାତ୍ରା ଆୟୋଜନ କରାଯାଇଥିଲା l ସ୍ଵାମୀ ବିବେକାନନ୍ଦ ଯୁବ ସଂଘ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଥାନା ଆଇ ଆଇ ସି ବିଜୟ କୁମାର ହାଈବୁରୁଙ୍କ ନିର୍ଦ୍ଧେଶରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଆୟୋଜିତ କାର୍ଯକ୍ରମରେ ବ୍ରାହ୍ମଣୀଗାଁ, ଗଦାପୁର ଏବଂ ସନପୁର ସ୍ଥିତ ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା ।