ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଋଷିକୂଲ୍ୟା ନଦୀ ଏବେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ବେଶ ସନ୍ତୁଳିତ ହୋଇ ଜୀବନ ମରଣ ସହ ସଙ୍ଘର୍ଷ କଲା ପରି ମନେ ହେଉଛି । ଚିରଶ୍ରୋତା ଋଷିକୂଲ୍ୟାର ସ୍ଥିତି ଜଳ ବିନା ସଙ୍ଗୀନ ହୋଇ ଗଲାଣି । ଫଗୁଣ ମାସରେ ନଦୀର ସ୍ଥିତି ଯଦି ଏମିତି ଚୈତ ବୈଶାଖ ବେଳକୁ ତାହା କେମିତି ହେବ ତାହାର ବିକଳ ଚିତ୍ର ଏବେଠୁ ଆଗକୁ ଆସିଲାଣି । ଯାହାକୁ ନେଇ ନଈ କୂଳିଆ ଗାଁ ଗଣ୍ଡାର ଲୋକଙ୍କ ମଧ୍ୟରେ ଭାଳେଣି ଦେଖା ଦେଲାଣି । ଏହାର ପ୍ରଭାବରେ ଆଖ ପାଖ ନଈ କୂଳିଆ ଅଞ୍ଚଳର ବନ୍ଧ, କୂଅ,ପୋଖରୀ, ଝରଣା ଓ ଗାଡିଆ ମଧ୍ୟ ଶୁଖିଲାଣି। ମୌସୁମୀ ପ୍ରବାହାରେ ଅନିୟମିତତା ଯୋଗୁଁ ଠିକ ସମୟରେ ବର୍ଷା ହେଉନାହିଁ । ଗତ ତିନି ବର୍ଷ ହେଲା କମ ପରିମାଣର ବର୍ଷା ଯୋଗୁଁ ଭୂତଳ ଜଳସ୍ତର ମଧ୍ୟ ନିମ୍ନଗାମୀ ହେବାରେ ଲାଗିଛି । ଋଷିକୂଲ୍ୟା ନଦୀ କଂଧମାଳ ଜିଲ୍ଲାର ଋଷୀମାଳ ପର୍ବତରୁ ବାହାରି ଗଞ୍ଜାମ ଜିଲ୍ଲାର ସୋରଡ଼ା, ଧରାକୋଟ, ଆସିକା, Inverter, ଛତ୍ରପୁର , ପୁରୁଷତ୍ତମପୁର ଓ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରବାହିତ ହୋଇ ବଙ୍ଗୋପ ସାଗରରେ ମିଶିଛି। ଏହାର ଜଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ଖରିଫ, ରବି ଋତୁରେ ଧାନ ଫସଲ ଠାରୁ ପନିପରିବା ଫସଲ କରି ବେଶ ଲାଭବାନ ହେଉଥିବା ବେଳେ ଗାଁ ଗାଁରେ ପିଇବା ପାଣି ବିଶେଷ କରି ବୃହତ ବ୍ରହ୍ମପୁର ସହରର ପିଇବା ପାଣି ମଧ୍ୟ ଋଷିକୂଲ୍ୟା ବକ୍ଷର ଜାନବିଲି ଠାରୁ ସଂଗୃହିତ ହେଉଛି । ଅନ୍ୟ ପକ୍ଷରେ ବିଭିନ୍ନ ବ୍ଲକର ଛୋଟ ବଡ ଶିଳ୍ପ ସଂସ୍ଥା ମଧ୍ୟ ଏହି ନଦୀର ପାଣିକୁ ଉପଯୋଗ କରୁଛନ୍ତି । ସ୍ଵଳ୍ପ ବର୍ଷା ଯୋଗୁଁ ଋଷିକୂଲ୍ୟା ନିଜର ସ୍ଥିତାବସ୍ଥା ପାଇଁ ସଂଗ୍ରାମ ଜାରି ରଖିଥିବା ବେଳେ ବାଲି ମାଫିଆ ମାନେ ତାର ବୁକୁ ଚିରି ବେଧଡକ ଆବଶ୍ୟକତା ଠାରୁ ଅଧିକ ବାଲି ଚୋରାରେ ଚାଲାଣ କରୁଥିବା ବେଳେ ନଦୀ ଗର୍ଭରେ ଥିବା ମାଟି ବେଆଇନ ଭାବେ ଇଟା ଭାଟି ମାଲିକମାନେ ଚୋରାରେ ଖନନ କରି ପୋଡ଼ା ଇଟା ନିର୍ମାଣ କରି ମାଲା ମାଲ ହେଉଥିବା ଯୋଗୁଁ ସରକାରଙ୍କ ରାଜସ୍ୱ ହାନି ହେଉଥିବା ବେଳେ ନଦୀର ଗତିପଥ ପରିବର୍ତନ ସହ ସ୍ଥିତି ହଜିବା ପରି ମନେ ହେଲାଣି । ଋଷିକୂଲ୍ୟା ପାଇଁ ଅନ୍ୟ ଏକ ବିପଦ ହେଉଛି କାଶତଣ୍ଡି । ଗତ 1990 ମସିହାର ବନ୍ୟା ପରେ ନଦୀ ଗର୍ଭରେ କାଶତଣ୍ଡି କାୟା ବିସ୍ତାର କରି ଏକ ଚାଦରର ଆସ୍ତରଣ ଜମାଇଲାଣି । ଏଣୁ ନଦୀ ଗର୍ଭ ମାଟିରେ ପରିପୂର୍ଣ ହୋଇ ରହିଥିବା ଯୋଗୁଁ ବର୍ଷା ଦିନେ ନଦୀ ଗର୍ଭରେ ପାଣି ପ୍ରବାହିତ ନହୋଇ ସାମାନ୍ୟ ବର୍ଷା ହେଲେ ଦୁଇ କୂଳକୁ ମାଡି ଯାଉଛି । ଏଣୁ ନଈ କୂଳିଆ ଲୋକେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ଏହା ମଧ୍ୟରେ ଜଳସେଚନ ବିଭାଗ ପକ୍ଷରୁ ସୋରଡ଼ା ବ୍ଲକର ପିପଳପଙ୍କା ଓ ଧରାକୋଟ ବ୍ଲକର ଜାନବିଲି ଠାରେ ଦୁଇଟି ବ୍ୟେରେଜ ନିର୍ମାଣ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତା ପ୍ରକଟ କରି ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି । ଏଥିପାଇଁ ଗାଁ ଗାଁରେ ପ୍ରଶାସନ ତରଫରୁ ଜନ ଶୁଣାଣି ମଧ୍ୟ ଜାରି ରହିଛି । ଗୋଟିଏ ପଟେ ଶୁଖି ଯାଉଥିବା ଋଷିକୁଲ୍ୟା ନଦୀ ର ଜଳ ଅଞ୍ଚଳ ବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ାଉଥିବା ବେଳେ ଅନ୍ୟ ପଟରେ ସରକାରଙ୍କ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ଓ ଏହାଦ୍ବାରା ଜଳ ସଂରକ୍ଷଣ କରାଯାଇ ଜିଲ୍ଲା ବାସୀଙ୍କ ଆର୍ଥିକ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ଆରମ୍ଭ ହେଇଥିବା ପ୍ରୟାସକୁ ବିରୋଧ କରାଯିବା ଉଭୟ ଗୋଲକ ଧନ୍ଦାରେ ଛନ୍ଦି ହୋଇପଡିଛି ଋଷିକୂଲ୍ୟା ନଦୀ ।