ଗୋଲାମୁଣ୍ଡା(ଅଶ୍ୱିନ ମଲ୍ଲିକ): ଗୋଲାମୁଣ୍ଡା ଅଞ୍ଚଳର ବିଭିନ୍ନ ପରିବା ବଜାରରେ ଏବେ କିଛି ଦିନ ହେଲା ବହଳ ଶାଗ ଓ କଢ ପ୍ରବେଶ କରିଛି । ଋତୁକାଳୀନ ଏହି ଜଙ୍ଗଲ ଜାତ ଦ୍ରବ୍ୟ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ । ଲୋକେ ଏହା ଦର ପ୍ରତି ଖାତିରି ନ କରି ଅତି ଆଦରରେ କିଣି ନେଉଛନ୍ତି । ଏହାଦ୍ବାରା ଶାଗ ବିକାଳି ମଧ୍ଯ ଭଲ ଦୁଇ ପଇସା ପାଉଛନ୍ତି । କିଛି ପରିବାର ପାଇଁ ବହଲ୍ ସାଗ ଓ କଢ ରୋଜଗାରର ମାଧ୍ଯମ ସାଜିଛି l ଗୋଲାମୁଣ୍ଡା ବ୍ଳକର ବିଭିନ୍ନ ଜଙ୍ଗଲ ଥିବା ଗାଁ ଗୁଡ଼ିକର ଲୋକେ ବିଶେଷ କରି ମହିଳାମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ସିଧା ବଜାରକୁ ନେଇ ବିକ୍ରି କରିବାକୁ ଆସୁଛନ୍ତି । ବଜାରରେ ବାକି ପନିପରିବା ଅପେକ୍ଷା ବହଲ୍ କଢ଼ର ବେଶ୍ ଚାହିଦା ରହିଛି । ତେଣୁ କମ୍ ସମୟ ମଧ୍ୟରେ ଲୋକେ ବହଲ୍ କଢ଼ କିଣି ନେଇଯାଉଛନ୍ତି l ବହଲ୍ କଢ଼ ପାଟିକୁ ଯେତିକି ସୁଆଦିଆ ସେତିକି ଔଷଧୀୟ ଗୁଣ ମଧ୍ଯ ଭରି ହୋଇ ରହିଛି । ବହଲ କଢ ଓ ବହଲ ସାଗ ସହିତ ପଖାଳ ଭାତ ଗ୍ରୀଷ୍ମ ପ୍ରବାହ ସମୟରେ ଅନେକ ଗ୍ରାମାଞ୍ଚଳର ଲୋକଙ୍କ ଭାରି ପସନ୍ଦ । ବହଲ୍ କଢ ଚକ୍ଷୁ ରୋଗ ଭଲ କରିବାରେ ଉତ୍ତମ ଔଷଧ ସଦୃଶ୍ୟ l ଏହା ସହ ଏହା ଶରୀରର ଓ ତ୍ବଚାର ଚମକ ଆଣିବାରେ ସାହାଯ୍ୟ କରିଥାଏ l ତେଣୁ ବଜାରରେ ଯେତେ ବହଲ୍ କଢ଼ ଆଣିଲେ ମଧ୍ୟ ଲୋକେ କିଣି ନେଇ ଯାଇଥାନ୍ତି । ଧାନ କଟା ସରିବା ପରେ ଗ୍ରାମାଞ୍ଚଳର ମହିଳାମାନେ କୌଣସି କାମ ଧନ୍ଦା ନ ଥିବାରୁ ଘରେ ବସି ରହୁଥିଲେ । ଠିକ୍ ଏହି ସମୟରେ ଜଙ୍ଗଲରୁ ବହଲ୍ କଢ଼କୁ ସଂଗ୍ରହ କରି ବଜାରରେ ବିକ୍ରି କରୁଛନ୍ତି । ପ୍ରତିଦିନ ୫ ଶହରୁ ୭ ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଋତୁକାଳୀନ ଏହି ଦ୍ରବ୍ୟ ମହିଳାମାନଙ୍କ ପାଇଁ ରୋଜଗାର ଦେଇଛି l ବେଶ୍ କିଛି ଦିନ ଲାଗି ବହଲ କଢ ସ୍ଥାନୀୟ ଲୋକଙ୍କ ପରିବାର ପ୍ରତିପୋଷଣର ମାଧ୍ଯମ ସାଜିଛି ।