ଦାରିଙ୍ଗବାଡି(ଆଶୋକ ସିଂ): ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ଅନଲାଇନ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି l ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନଲାଇନ୍ ଆବେଦନ ନ କଲେ ହିତାଧିକାରୀ ମାନେ ବାଦ୍ ପଡ଼ିବାର ସମ୍ଭାବନା ରହିଛି । ଏଣୁ ଯୋଗ୍ୟ ହିତାଧିକାରୀମାନେ ନିଜକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ଚେଷ୍ଠା କରୁଥିବା ବେଳେ ବାଧକ ସାଜୁଛି ନେଟୱର୍କ । ଅଧିକାରୀମାନେ ନିଜ ନିଜ ପଞ୍ଚାୟତରେ ରହି ସର୍ଭେ କାର୍ଯ୍ୟ କରି ପାରୁ ନଥିବା ବେଳେ ସମସ୍ୟାରେ ପଡୁଛନ୍ତି ଉଭୟ ହିତାଧିକାରୀ ଓ ଅଧିକାରୀ । ନେଟୱର୍କ ଖୋଜି ଖୋଜି ୮ରୁ ୧୦କିମି ଯାଇ ଏହି ସର୍ଭେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ । ଉକ୍ତ ଥାନା ଅଞ୍ଚଳର ମେରାମାହା ଛକ ନିକଟ ରାସ୍ତା କଡ଼ରେ ସକାଳ ପ୍ରାୟ ୯ଟାରୁ ଅଚାନକ ଭିଡ଼ ଜମିଥିବା ଦେଖିବାକୁ ମିଳି ଥିଲା l ପଚରା ଉଚରା କରିବାରୁ ଜଣା ପଡିଲା କି ଆବାସ ଯୋଜନାର ସର୍ଭେ କାର୍ଯ୍ୟ ପାଇଁ ଏହି ଭିଡ଼ ଜମିଛି ।
ସୂଚନା ଯୋଗ୍ୟ ଯେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ମୋବାଇଲ ଟାୱାର ଠିଆ ହୋଇଛି l ହେଲେ ଇଣ୍ଟର୍ନେଟ୍ କାମ କରୁନାହିଁ । ଏଣୁ ଆଜି ତାଜୁଙ୍ଗିଆ ପଞ୍ଚାୟତର ମହାଗୁଡ଼ି ଓ ସିକରମାହା ଓ ଗଦାପୁର ପଞ୍ଚାୟତ ବାସୀ ମେରାମାହା ଛକ ନିକଟରେ ଇଣ୍ଟର୍ନେଟ୍ ଖୋଜି ଆବାସ ଯୋଜନା ସର୍ଭେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ନେଟୱର୍କ ନଥିବାରୁ ଅନେକ ସରକାରୀ ବେସରକାରୀ କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଠି ହେଉଛି । ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲାଣି ଦାରିଙ୍ଗବାଡି ରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ବି ଏସ ଏନ୍ ଏଲର କେବୁ ଲ ସଂଯୋଗ ହୋଇପାରୁ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।
Prev Post
Next Post