ବ୍ରାହ୍ମଣୀଗାଁ ପୁଲିସର ବଡ ସଫଳତା, ୨୮୦ କିଲୋ ଗଞ୍ଜେଇ ସହ ମିନି ଟ୍ରକ ଜବତ…

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା ୨୮୦ କିଲୋ ଗଞ୍ଜେଇ ସହ ଗୋଟିଏ ମିନିଟ୍ରକକୁ ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ସମ୍ପୃକ୍ତ ଆସାମୀ ଫେରାର ଥିବା ଜଣା ପଡ଼ିଛି । ସୂଚନାନୁଯାୟୀ, କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶନିବାର ଦିନ ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଉକ୍ତ ଥାନା ଅଞ୍ଚଳର ଉଲିପଦର ଗାଁ ଶେଷ ମୁଣ୍ଡରେ ଚଢ଼ାଉ କରିଥିଲା । ହେଲେ ଗଞ୍ଜେଇ ଚାଲାଣକାରୀ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବା ବେଳେ ପୁଲିସ ମିନିଟ୍ରକ୍‌ ସହ ୮ ବସ୍ତା ଗଞ୍ଜେଇକୁ ଜବତ କରିଥଲା । ରବିବାର ଦାରିଙ୍ଗବାଡ଼ି ତହସିଲଦାର ଶରତ ସବରଙ୍କ ଉପସ୍ଥିତିରେ ବ୍ରାହ୍ମଣିଗାଁ ଥାନା ପରିସରରେ ଉକ୍ତ ଜବତ ଗଞ୍ଜେଇ ଗୁଡ଼ିକର ଓଜନ କରାଯିବାରୁ ଏହା ୨୮୦ କିଲୋର ଗଞ୍ଜେଇ ବୋଲି ଜଣାପଡିଛି । ଏନେଇ ବ୍ରାହ୍ମଣିଗାଁ ଥାନାରେ ଏନଡିପିଏସ ଆକ୍ଟ ୧୬/୨୫ ରେ ମାମଲା ରୁଜୁ କରାଯାଇଥିବା ବେଳେ ଚମ୍ପଟ ମାରିଥିବା ଗଞ୍ଜେଇ ଚୋରା ଚାଲାଣକାରିଙ୍କୁ ପୁଲିସ ଖୋଜୁଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଆଇଆଇସି ବିଜୟ କୁମାର ହାଇବୁରୁ କହିଛନ୍ତି । ଏହି ଚଢ଼ାଉ ସମୟରେ ଥାନା ଉପ ଆରକ୍ଷୀ ଅମରେନ୍ଦ୍ର ସୁବୁଦ୍ଧି, କନଷ୍ଟେବଳ କିଶାନ କୁମାର ନାୟକ ସମେତ ସୁରକ୍ଷା କର୍ମୀ ଓ ଗୃହରକ୍ଷୀ ମାନେ ସାମିଲ ହୋଇଥିଲେ ।