ଖଣ୍ଡିସର ଜଙ୍ଗଲରେ ମାଈହାତୀର ମୃତ୍ୟୁ, ମାସକ ମଧ୍ୟରେ ତିନିହାତୀର ମୃତ୍ୟୁ..

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥପ୍ରସାଦ ବନାଞ୍ଚଳ ବନ୍ତା ବିଟ୍ ଖଣ୍ଡିସର ଗ୍ରାମ୍ୟ ଜଙ୍ଗଲରୁ ଶୁକ୍ରବାର ସନ୍ଧ୍ୟାରେ ଠାବ ହୋଇଥିବା ମୃତ ମାଈ ହାତୀର ଶନିବାର ବ୍ୟବଚ୍ଛେଦ କରାଯାଇଛି । ହାତୀଟି ୭ରୁ ୧୦ ଦିନ ପୂର୍ବରୁ ମରି ଥିବା ବେଳେ ମୃତହାତୀର ବୟସ ୧୨ ରୁ ୧୪ ବର୍ଷ ହେବ ବୋଲି ବନ ବିଭାଗ ଅନୁମାନ କରିଛି । ଏକ ଖାଲ ମଧ୍ୟରେ ମାଈହାତୀଟି ପଡିଥିବା ବେଳେ ଗ୍ରାମବାସୀଙ୍କ ସହାୟତାରେ ବନ କର୍ମଚାରୀ ମାନେ ଗଳିତ ମୃତ ଦେହ ଠାବ କରିଥିଲେ । ଶନିବାର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଭୁବନେଶ୍ୱରରୁ ଆସିଥିବା ଜଏଣ୍ଟ୍ ଟାସ୍କ ଫୋର୍ସ ଇନ୍ସପେକ୍ଟର ରେଣୁବାଳା ଏବଂ ବ୍ରହ୍ମପୁର ଆରସିସିଏଫ୍, ଜଗନ୍ନାଥ ପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା, ପୂର୍ବତନ ରେଞ୍ଜର ଅନୁପମ ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ତିନି ଜଣ ପଶୁ ଡାକ୍ତରଙ୍କ ସହାୟତାରେ ମୃତ ମାଇ ହାତୀର ବ୍ୟବଛେଦ କରାଯାଇ ଜଙ୍ଗଲ ମଧ୍ୟରେ ପୋତାଯାଇଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି । ଅପରପକ୍ଷରେ ହାତୀ ମୃତ୍ୟୁ ଘଟଣାକୁ ଏକାଧିକ ଦିନ ବିତି ଯାଇଥିବା ବେଳେ ଏଲିଫେଣ୍ଟ୍ ସ୍କ୍ବାଡ୍,ଗଜ ସାଥି ଓ ବନ କର୍ମଚାରୀଙ୍କ ଦାୟିତ୍ଵ ସମେତ ବନବିଭାଗର ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରିଛନ୍ତି । ଗତ ମାସରେ ଗଂଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳରେ ଦୁଇଟି ମାଈ ହାତୀର ମୃତ୍ୟୁ ଘଟିଥିଲା । ଜିଲ୍ଲାରେ ମାତ୍ର ମାସକ ମଧ୍ୟରେ ତିନିଟି ହାତୀ ମୃତ୍ୟୁ ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।