ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତର ବିଜାଲି ଗ୍ରାମରେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଖଣି ସର୍ଭେ ନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି I ଗ୍ରାମବାସୀଙ୍କୁ କୌଣସି ସୂଚନା ନ ଦେଇ ଗ୍ରାମରେ କିଛି ଅଜଣା ବ୍ୟକ୍ତି ପହଞ୍ଚି ନିକଟସ୍ଥ ଗାଁ ର କିଛି ଦିନ ମଜୁରିଆଙ୍କୁ ଧରି ସର୍ଭେ ଚଳାଇଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି I ଗାଁ ଲୋକମାନେ ଏପରି ସର୍ଭେକୁ ବିରୋଧ କରିବାରୁ ସର୍ଭେ ଦଳ ଗାଁରେ ଖଣି ଖୋଳାହେଲେ ତମର ଉନ୍ନତି ହେବ ଓ ଗାଁର ପାଠପଢା ପିଲା ଚାକିରୀ ପାଇବେ ବୋଲି କହିଥିଲେ I କିନ୍ତୁ ଗାଁ ଲୋକ ମାନେ ସେମାନଙ୍କ କଥାରେ ଅରାଜି ହେବାରୁ ସର୍ଭେ ଦଳ ବ୍ରାହ୍ମଣୀଗାଁ ରାଜସ୍ଵ ଅଧିକାରୀ ଏବଂ ଥାନା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରିବା ପରେ ଗ୍ରାମବାସୀମାନଙ୍କୁ ଥାନା ଅଧିକାରୀ ଡାକି ସର୍ଭେ ଦଳକୁ ସହଯୋଗ କରିବାକୁ କହିଥିଲେ I ମାତ୍ର କୋରାପୁଟ, କଳାହାଣ୍ଡି ଓ ରାୟଗଡା ଭଳି ଜିଲ୍ଲାରେ ଖଣି ଖନନ ଯୋଗୁଁ ଲୋକେ ଭିଟାମାଟି, ଜୀବିକା ହରାଉଥିବାରୁ ଲୋକମାନେ କୌଣସି ମିଛ ପ୍ରତିଶୃତିରେ ବିଶ୍ୱାସ କରିବାକୁ ନାରାଜ I ସେମାନଙ୍କ ମତ ହେଲା କନ୍ଧମାଳ ଜିଲ୍ଲା ଏକ ଅନୁସୂଚିତ ଅଂଚଳ ହୋଇଥିବାରୁ କୌଣସି ବିକାଶ ମୂଳକ କାମ ପାଇଁ ଗ୍ରାମସଭାର ଅନୁମୋଦନ ବିନା ହୋଇପାରିବ ନାହିଁ I କିନ୍ତୁ ସେମାନଙ୍କୁ କୌଣସି ପ୍ରଶାସନିକ ଅଧିକାରୀ ସୂଚନା ନଦେଇ ଲୁଚାଛପାରେ ଏପରି ସର୍ଭେ କରିବା ଉଭୟ ପେସା ଆଇନ- 1996 ଓ ଜଙ୍ଗଲ ଅଧିକାର ଆଇନ -2006 ଅନୁଯାୟୀ ଗ୍ରାମସଭାର ଅଧିକାରକୁ ଉଲଂଘନ କରୁଛି I ତେଣୁ ଗ୍ରାମସଭାର ଅନୁମୋଦନ ବିନା ଚାଲୁଥିବା ଏହି ସର୍ଭେ ବନ୍ଦ କରିବାକୁ ଗତ 31 ଜାନୁୟାରୀରେ ବିଜାଲି ଗ୍ରାମସଭା ସର୍ବସମ୍ମତ କ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଛି I ଏହି ପ୍ରସ୍ତାବର କପି କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଖଣି ଅଧିକାରୀ, ଦାରିଙ୍ଗବାଡି ତହସିଲର ତହସିଲଦାର, ଦାରିଙ୍ଗବାଡି ବ୍ଲକର ବିଡ଼ିଓ, ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଓ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦଙ୍କ ନିକଟକୁ ଗତ 5 ଫେବୃୟାରୀରେ ପ୍ରେରଣ କରାଯାଇଛି I ଏହି ଗ୍ରାମସଭା ଗ୍ରାମର ୱାର୍ଡ ସଭ୍ୟା ସସ୍ମିତା ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ବିଜାଲି ଜଙ୍ଗଲ ଅଧିକାର କମିଟିର ସଭାପତି ସନା ମଳିକ ଏବଂ ସମ୍ପାଦକ ପାତ୍ର ମଳିକ ଗ୍ରାମସଭା ପରିଚାଳନା କ୍ଷେତ୍ରରେ ସହଯୋଗ କରିଥିଲେ I