ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ପରିଚିତ କଳିଙ୍ଗ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେରଙ୍କ ପୌରହିତ୍ୟରେ ଗତ ଶନିବାର ଦିନ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ଚଳିତ ବର୍ଷର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ମାନ୍ୟବର ଶ୍ରୀ ସୁଜିତ୍ କୁମାର, ସମ୍ମାନିତ ଅତିଥି ଭାବେ ଉଦୟଗିରିର ବିଧାନସଭା ସଦସ୍ୟ (ବିଧାୟକ) ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଅନ୍ୟତମ ଅତିଥି ରୂପେ ପୂର୍ବତନ ବିଧାୟିକା ଶ୍ରୀମତୀ ଅଜୟନ୍ତୀ ପ୍ରଧାନ ଓ ମୁଖ୍ୟବକ୍ତା ଭାବରେ ପୁଲିସ୍ ବିଭାଗର ସବ୍-ଡିଭିଜନ ମୁଖ୍ୟ ବିଜୟ କୁମାର ବିଶି ମହୋଦୟ ମଞ୍ଚ ଅଳଙ୍କୃତ କରିଥିଲେ । ମହାବିଦ୍ୟାଳୟ ପରିସରରେ ପହଁଞ୍ଚିବା ମାତ୍ରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ସମ୍ମାନର ସହ ପାଛୋଟି ନେଇଥିଲେ । ପରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମଞ୍ଚନିକଟରେ ପହଞ୍ଚିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଆଗକୁ ବଢିଥିଲା । ସଭା ପ୍ରାରମ୍ଭରେ ଅଧ୍ୟାପକ ଶ୍ରୀ ନଳିନୀକାନ୍ତ ପାଣିଗ୍ରାହୀ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଓ ପରେ ସାଂସ୍କୃତିକ ପରିଷଦର ଉପସଭାପତି ଅଧ୍ୟାପକ ଶ୍ରୀ ବିନାୟକ ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ସଙ୍ଗୀତ ପରେ ଅତିଥି ମାନେ ନିଜର ଅଭିଭାଷଣ ରଖିଥିଲେ । ସମ୍ମାନନୀୟ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଛାତ୍ରଛାତ୍ରୀମାନଙ୍କୁ କିଭଳି ଭାବେ ଛାତ୍ର ଜୀବନକୁ ଗଢିବାକୁ ହେବ, ସମୟର ସଦୁପଯୋଗ, ମୋବାଇଲର ଅପବ୍ୟବହାର, ଛାତ୍ରଜୀବନର ଲକ୍ଷ୍ଯ ଓ ସଫଳତାର ମାର୍ଗ ସମ୍ପର୍କିତ ଉପଦେଶ ପ୍ରଦାନ କରିଥିଲେ ଓ ମାତୃଭାଷା ସହିତ ଇଂରାଜୀ ଭାଷା ପ୍ରତି ଟିକେ ଗୁରୁତ୍ଵ ଦେବାପାଇଁ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ଅଧ୍ୟୟନ ସହିତ କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ପହଁଞ୍ଚିବା ପାଇଁ ସେ ଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ଏହାପରେ ବିଧାୟକ ମହୋଦୟ ଛାତ୍ରଛାତ୍ରୀଙ୍କୁ ସୁନାଗରିକ ହେବା ପାଇଁ ମତପୋଷଣ କରିଥିଲେ ତଥା ଅଧ୍ୟୟନ ହିଁ ସଫଳତାର ମାର୍ଗବୋଲି ମତପୋଷଣ କରିଥିଲେ । ପୂର୍ବତନ ବିଧାୟିକା ସମସ୍ତଙ୍କୁ ସେବା ମନୋଭାବ ରଖି ସମାଜ ସେବା କରିବା ପାଇଁ ଆହ୍ଵାନ କରିଥିଲେ । ପରେ ମୁଖ୍ୟବକ୍ତା ଶ୍ରୀ ବିଶି ବିଭିନ୍ନ ଉଦାହରଣ ଦେଇ ଛାତ୍ର ଜୀବନରେ ଶୃଙ୍ଖଳା କିପରି ଆଣିହେବ, ଛାତ୍ର ଜୀବନର ଦାୟିତ୍ଵ କର୍ତ୍ତବ୍ୟ ତଥା ସମାଜରେ ଆଗକୁ ବଢିହେବ ବହୁ ଉଦାହରଣ ମାଧ୍ୟମରେ ଉପସ୍ଥାପନା କରିଥିଲେ । ଏହାପରେ ପୂର୍ବରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତାରେରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ସମସ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଭା ପରିଚାଳନାରେ ସହଯୋଗ କରିଥିଲେ ଅଧ୍ୟାପିକା ସୁପ୍ରିୟା ମହାନ୍ତି, ଶ୍ରୀମତୀ ସରିତା ମିଶ୍ର, ଅନୁପମା ଭଗତ୍, ଅଧ୍ୟାପକ ସୌରଭ ସୁନ୍ଦର ପଧାନ, ଶ୍ରୀ ଦ୍ୟୁତିକୃଷ୍ଣ ଖଣ୍ଡୁଆଳଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ।