ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ। ଏଥି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିବା ବେଳେ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ହୋଇଥିବା ବୁଧବାର ଭଞ୍ଜନଗର ମେଡିକାଲରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରକାଶ କରିଛନ୍ତି । ଏଥିରେ ମେଡିକାଲ୍ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ । ଯାନବାହାନ ଷ୍ଟାଣ୍ଡ୍, ମେଡିକାଲ ଆସୁଥିବା ରୋଗୀଙ୍କ ସଂର୍ପକୀୟଙ୍କ ପାଇଁ ସେଡ୍, ଏକ୍ସରେ, ଅକ୍ସିଜେନ୍ ପ୍ଳାଣ୍ଟ ଆଦି ସଂର୍ପକରେ ଆଲୋଚନା ହୋଇଥିଲା । ରକ୍ତ ଭଣ୍ଡାର ପାଇଁ ୮ ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ପ୍ରଦାନ କରିବା ନେଇ ଶ୍ରୀ ନାୟକ କହିଥିଲେ । ସାଂସଦ ପାଣ୍ଠିରୁ ମଧ୍ୟ ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ବ୍ୟବସ୍ଥା କରିବା ନେଇ ସେ ଆଲୋଚନା କରିଥିବା କହିଥିଲେ । ଅଳ୍ପ ଦିନ ମଧ୍ୟରେ ସ୍ବାସ୍ଥ ମନ୍ତ୍ରୀ ଏହି ଡାକ୍ତରଖାନା ପରିଦର୍ଶନରେ ଆସିବାକୁ ଥିବା ସୂଚନା ଦେଇଥିଲେ । ଏଥିସହ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତାଙ୍କର ସଂର୍ପକୀୟଙ୍କ ଅପେକ୍ଷା ନକରି ତୁରନ୍ତ ଚିକିତ୍ସା ସହାୟତା ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ତାଙ୍କୁ ଜଣାଇବାକୁ କହିଥିଲେ । ଡାକ୍ତରଖାନାର ପରିଷ୍କାର ପରିଚ୍ଛନତା ନେଇ କିଛି ସଦସ୍ୟ ଦଷ୍ଟି ଆର୍କଷଣ କରିବା ସହ ସୁରକ୍ଷା ବ୍ୟବସ୍ଥା ଓ ମେଡିକାଲ ପଛ ପାର୍ଶ୍ବ ଗେଟ୍ ଖୋଲିବା ଦିଗରେ ଦୃଷ୍ଟି ଆର୍କଷଣ କରିଥିଲେ । ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଆୟବ୍ୟୟର ହିସାବ ଆଗତ କରିଥିବା ବେଳେ ପରିଚାଳନା କମିଟି ପକ୍ଷରୁ ତାହା ଗୃହିତ ହୋଇଥିଲା । ଏଥିସହ ନୂତନ ଭାବେ ଜୟଶ୍ରୀ ମହାପାତ୍ର, ଆଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ସଚ୍ଚିଦାନନ୍ଦ ମହାନ୍ତି, ଲକ୍ଷ୍ମୀ ନାରାୟଣ ପଣ୍ଡା ଓ ଶିକ୍ଷାବିତ୍ ପଦ୍ମନାଭ ପ୍ରଧାନଙ୍କୁ ନୂତନ ସଦସ୍ୟ ଭାବେ ସାମିଲ କରାଯାଇଥିଲା । ଏଥିରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ସତ୍ୟ ରଞ୍ଜନ ପରିଡା, ଏସ୍ଡିଓ ପ୍ରତାପ କୁମାର ନାୟକ, ଆଇନଜୀବୀ ରାଜେନ୍ଦ୍ର କୁମାର ପ୍ରଧାନ, ଇଓ ମୁରଲୀ କୃଷ୍ଣ ପଣ୍ଡା, ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରିଥିଲେ ।