ଇ-ରିକ୍ସା ପ୍ରଦାନ କଲେ ବିଧାୟକ..

ଭଞ୍ଜନଗର(ନିଲୁ ବିଷୋୟୀ): ଓଡିଶା ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାରେ ଚୟନ ହୋଇଥିବା ଭିନ୍ନକ୍ଷମ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ଭିନ୍ନକ୍ଷମ ଭାଇଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ପ୍ରଦାନ କରିଥିଲେ । ଏଥିରେ ଭିନ୍ନକ୍ଷମ ଭାଇ ଭଉଣୀମାନେ ଉପକୃତ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ । ଉପଖଣ୍ଡର ଭଞ୍ଜନଗର , ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ସୋରଡା, ଆସିକା, ଧରାକୋଟ, ବୁଗୁଡା ଆଦି ୭ଟି ବ୍ଲକ ଏବଂ ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ୧୨ଜଣ ହିତାଧିକାରୀଙ୍କୁ ଇ-ରିକ୍ସା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ଵରଞ୍ଜନ କର, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରି ଶଙ୍କର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ମୁକେଶ ଡାକୂଆ ଓ ଭାରତୀ ବିଷୋୟୀ ସହଯୋଗ କରିଥିଲେ ।