ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରାମଗିରି ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସରକାର ବଦଳିବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟରେ ନୂତନ ପଞ୍ଚାୟତ ସମିତି ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନରେ ପଞ୍ଚାୟତ ଗୁଡିକ ଚଳଚଞ୍ଚଳ ହୋଇପଡିଛି l ଦୀର୍ଘ ୪୦ ବର୍ଷ ପୂର୍ବେ ରାଜ୍ୟରେ ୧୦ଟି ନୂତନ ବ୍ଲକ ଗଠନ ହୋଇଥିଲା l ପୂର୍ବ ସରକାରଙ୍କ ଶାସନ କାଳ ମଧ୍ୟରେ ୨୦୧୦ ଏବଂ ୨୦୧୮ ମସିହାରେ ଦୁଇଥର ରାମଗିରି ଠାରେ ନୂତନ ବ୍ଲକ ଗଠନ କରିବାପାଇଁ ଦାବୀ ହୋଇଥିଲା କିନ୍ତୁ କିଛି କାର୍ଯ୍ୟକାରୀ ହୋଇନଥିଲା l ରାୟଗଡ଼, ନୂଆଗଡ଼ ଓ ରା.ଉଦୟଗିରି ବ୍ଳକ୍ ଭଳି ୩ଟି ବ୍ଲକ୍ର କେନ୍ଦ୍ରସ୍ଥଳୀ ରାମଗିରିକୁ ବ୍ଲକ୍ ମାନ୍ୟତା ଦାବି ଜୋର୍ ଧରିଛି । ଆଜି ପୂର୍ବତନ ଜିଲ୍ଲାପରିଷଦ ତାରିଣୀ ଚରଣ ଗୌଡ଼ଙ୍କ ଆବାହନରେ ଓ ରାମଗିରି ଗ୍ରାମପଞ୍ଚାୟତ ସରପଞ୍ଚ ସସ୍ମିତା କାର୍ଜିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି l ୨ଟି ବ୍ଲକର ୧୧ ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବ୍ୟବସାୟ ନିମନ୍ତେ ରାମଗିରି ଉପରେ ନିର୍ଭର କରନ୍ତି l ରାମଗିରି ଠାରେ ବ୍ଲକ୍ ପ୍ରତିଷ୍ଠା ହେଲେ ଏହି ସବୁ ପଞ୍ଚାୟତ ଗୁଡିକ ବ୍ଳକ୍ ଠାରୁ କେବଳ ୧୦କିମି ଦୂରତ୍ବରେ ରହି ସରକାରଙ୍କ ସମସ୍ତ ସୁବିଧା ପ୍ରାପ୍ତ ହୋଇପାରିବେ । ଏହି ଦାବି ଉପସ୍ଥାପନ କରିବା ପାଇଁ ରାମଗିରି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏହି ୧୧ ଟି ପଞ୍ଚାୟତର ଜନପ୍ରତିନିଧି ତଥା ବର୍ତ୍ତମାନ ଓ ପୂର୍ବତନ ସରପଞ୍ଚ, ସମ୍ମିତି ସଭ୍ୟ, ଜିଲ୍ଲାପରିଷଦ, ଓ୍ବାର୍ଡସଭ୍ୟ, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ଅନେକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏକ କମିଟି ଚୟନ ସହ ଏହିକାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବା ଲାଗି ଶପଥ ନେଇଥିଲେ । ଶୀଘ୍ର ସରକାରଙ୍କୁ ଦାବିପତ୍ର ଦେବାଲାଗି ସ୍ଥିର କରାଗଲା । ଏଥର କିନ୍ତୁ ନିଶ୍ଚୟ ସରକାର ଅଞ୍ଚଳବାସୀଙ୍କ ସମସ୍ୟାକୁ ସମାଧାନ କରିବା ଆଶାରଖିଥିବା କହିଛନ୍ତି l ସବୁ ଦିଗ ଉପରେ ଆଲୋଚନା ପରେ ପରି ଶେଷରେ ତାରିଣୀ ଚରଣ ଗୌଡ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।