ସଚେତନତା ବଢିଲେ ଦୁର୍ଘଟଣା କମିବ…

ଭଞ୍ଜନଗର(ନିଲୁ ବିଷୋୟୀ): ଟ୍ରାଫିକ୍ ନିୟମକୁ କଡାକଡି ପାଳନ କରିବା ନିମନ୍ତେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କେଏସୟୁବି କଲେଜ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶରେ ଦୁର୍ଘଟଣା ସାଙ୍ଗକୁ ଏଥି ଜନିତ ମୃତ୍ୟୁ ହାର ଚିନ୍ତାଜନକ ପାଲଟିଥିବା ବେଳେ ନାଗରିକମାନେ ସଚେତନ ହେଲେ ଏହାକୁ ରୋକି ହେବ ବୋଲି ମତପ୍ରକାଶ ପାଇଥିଲା । ପରିବହନ ଅଧିକାରୀ ଶୁଭେନ୍ଦୁ ରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ମୁଖ୍ୟ ଅତିଥି, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ମଟର ଯାନ ନିରୀକ୍ଷକ ଶର୍ମିଳା ମହାରଣା ଅତିଥି ଭାବେ ଯୋଗଦେଇ ଯୁବପିଢୀମାନେ ଏଦିଗରେ ସଚେତନ ହେବା ସହ ପରିବାରର ସମସ୍ତ ସଦସ୍ୟ ଗାଡି ଚଳାଇବା ବେଳେ ଯେଭଳି ସର୍ତ୍ତକତା ଅବଲମ୍ବନ କରନ୍ତି ସେଦିଗରେ ମହିଳାମାନଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ପ୍ରକାଶ କରିଥିଲେ । ଏଥିସହ ସମସ୍ତେ ଯଦି ଟ୍ରାଫିକ ନିୟମ ଠିକ ଭାବେ ପାଳନ କରିବା ଆରମ୍ଭ କରି ଦିଅନ୍ତି ତେବେ ଅଧିକାଂଶ ଦୁର୍ଘଟଣା ଆପେ ରୋକି ହୋଇଯିବ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରଶାସନିକ ଅଧିକାରୀ ବିଭାସ ଦାସ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରବୀନ୍ଦ୍ର କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଏନ୍ଏସି କ୍ୟାଡେଟଙ୍କ ସହ ଛାତ୍ରଛାତ୍ରୀ ଓ ପରିବହନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ ।