ଦାରିଙ୍ଗବାଡି(ଆଶୋକ ସିଂ): ସାରା ବିଶ୍ବରେ ନୂତନ ବର୍ଷ ୨୦୨୫କୁ ଧୁମ ଧାମରେ ସ୍ୱାଗତ କରାଯାଇଛି l ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇ ଥିବା ବେଳେ ବ୍ରାହ୍ମଣୀଗାଁ କାଥଲିକ ମଣ୍ଡଳୀ ପକ୍ଷରୁ ଉପାସନା ପ୍ରାର୍ଥନାର ସହ ନୂତନ ବର୍ଷକୁ ସ୍ବାଗତ କରାଯାଇଛି l ଏହି ଅବସରରେ ଚର୍ଚ୍ଚରେ ମଧ୍ୟ ରାତ୍ରୀ କାଳୀନ ଦିବ୍ୟ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଲିଗୁଡ଼ା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧକ୍ଷ ଫା. ମନୋରଞ୍ଜନ ସିଂ ପୌରହିତ୍ୟ କରି ବାଇବଲରୁ ଯୀଶୁଙ୍କ ବାକ୍ୟ ପରିବେଷଣ କରିଥିଲେ l ଦିବ୍ୟ ଯଜ୍ଞରେ ପୂର୍ବ ବର୍ଷର କୃତ ପାପ କର୍ମକୁ ତ୍ୟାଗ କରିବା ଓ ସମସ୍ତ ପାପ ଦୋଷକୁ ସ୍ମରଣ କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା ସହ ଆଗାମୀ ନୂତନ ବର୍ଷରେ ଉତ୍ତମ ଜୀବନ ଯାପନ କରିବା ପାଇଁ ପ୍ରାର୍ଥନା କରିଥିଲେ l ଯଜ୍ଞ ପରେ ଯୁବ ସଂଘ ଦ୍ୱାରା ଆୟୋଜିତ ପାଳରେ ତିଆରି ମନୁଷ୍ୟକୁ ଦାହ କରାଯାଇ ଥିଲା l ପୁରାତନ ବର୍ଷକୁ ବିଦାୟ ଦେବା ସହ ନିଜର ସମସ୍ତ ମନ୍ଦ କର୍ମକୁ ତ୍ୟାଗ କରି ନୂତନ ବର୍ଷରେ ନୂଆଁ ଆଶା ଓ ସତ କର୍ମ ଆଡ଼କୁ ଆଗେଇ ଯିବା ପାଇଁ ସନ୍ଦେଶ ଦିଆ ଯାଇଥିଲା । କାର୍ଯକ୍ରମ ଶେଷରେ ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଜିତୁ ସଭାସୁନ୍ଦର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।