ଭଞ୍ଜନଗର(ନିଲୁ ବିଷୋୟୀ): ବୁଲା ବ୍ୟବସାୟୀଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ ଛଡାଇ ନେବା ମାମାଲାରେ ପୁଲିସ୍ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଏହି ଘଟଣାରେ ସଂପୃକ୍ତ ଜଣେ ନାବାଳକକୁ ଜୁଭେନାଇଲ ବୋର୍ଡକୁ ପଠାଇଛି । ମାମଲାରେ ପୁଲିସ ଅଭିଯୋଗକାରୀ ସମୀର ହୁସେନଙ୍କ ଅଭିଯୋଗ ପ୍ରକାରେ କେସ ନମ୍ବର ୧୨୬୨/୨୪ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିଞ୍ଜିଗିରି ଗ୍ରାମର ସମୀର ନାୟକ(୨୨), ଶମ୍ଭୁ ନାୟକ(୨୦) ଓ ବିଷ୍ଣୁ ନାୟକ(୨୭)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ମାମଲାରେ ୩ ଟି ମଟର ସାଇକେଲ ଓ ଦୁଇଟି ମୋବାଇଲ ଜବତ କରାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶ ମୁରଦାବାଦର ସମୀର ହୁସେନ ଏହି ଇଲାକରେ ବୁଲିବୁଲି ବ୍ୟବସାୟ କରିଥାନ୍ତି । ସେ ଗତ ୨୯ ତାରିଖ ଦିନ ନିଜ ମଟର ସାଇକେଲରେ ଲୁଗା ଧରି ଗୁଣ୍ଡୁରିବାଡି ଗ୍ରାମ ଆଡକୁ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ଗୋହିରିବାଡ଼ି ଗ୍ରାମରୁ ବାହାରି ବାଉଁଶକଟା ରାସ୍ତା ଦେଇ ଯାଉଥିବା ବେଳେ ଜଙ୍ଗଲ ରାସ୍ତା ନିକଟରେ ୫ ଜଣ ଦୃର୍ବୁତ୍ତ ତାଙ୍କୁ ଅଟକାଇ ଥିଲେ। ସମୀରକୁ ମୁଥ ଗୋଇଠା ମାରିବା ସହ ତା ଠାରୁ ମୋବାଇଲ ସହ ୬ ହଜାର ଟଙ୍କା ଛଡ଼ାଇ ନେଇ ଗୋହିରିବାଡି ଆଡ଼କୁ ପଳାଇଥିଲେ । ସେମାନଙ୍କ ପିଛା କରି ପାଟି କରିବାରୁ ସମୀରର ପାଟି ଶୁଣି ଉକ୍ତ ଗ୍ରାମ ଲୋକ ମାନେ ସେମାନଙ୍କ ମଧ୍ୟରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ଅନ୍ୟ ଦୁଇ ଜଣ ଦ୍ରୁତଗତିରେ ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଯିବା ସମୟରେ ଏକ ହମ୍ପସ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ । ସେଠାରୁ ଜଣେ ଫେରାର ହୋଇଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମ ହୋଇଥିଲେ । ପୁଲିସ୍ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।