ଦୀର୍ଘ ୪ ଦଶନ୍ଧି ଧରି ଲୋକଙ୍କ ନ୍ୟାର୍ଯ୍ୟ ଦାବି ବ୍ରାହ୍ମଣୀଗାଁ ବ୍ଲକ ଗଠନ: ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧୀନରେ ଥିବା ୮ ଗୋଟି ଗ୍ରାମ ପଞ୍ଚାୟତ ଯଥା; କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗୁଡା, ବ୍ରାହ୍ମଣୀଗାଁ , ଗଦାପୁର, ହାତୀମୁଣ୍ଡା, ତାଜୁଙ୍ଗି ଓ ସରାମୂଳି ବର୍ଷ ବର୍ଷ ଧରି ପ୍ରଶାସନିକ ଓ ରାଜନୈତିକ ଅବହେଳାର ଶୀକାର ହୋଇଛି । ଭୌଗୋଳିକ ଦୃଷ୍ଟିକୋଣରୁ ତଳ ଦାରିଙ୍ଗବାଡି ଭାବେ ପରିଚିତ ବ୍ରାହ୍ମଣୀଗାଁ ଅଞ୍ଚଳବାସୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ସଦାସର୍ବଦା ନିଜର ଦାବି ଜଣାଇଛନ୍ତି l କିନ୍ତୁ ପ୍ରଶାସନିକ ଅବା ରାଜନୈତିକ ସ୍ତରରେ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଦୀର୍ଘ ୪ ଦଶନ୍ଧି ଧରି ଦାରିଙ୍ଗବାଡି ବ୍ଲକ ମହକୁମାରୁ ୭୦ରୁ ୮୦ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ୮ଟି ପଞ୍ଚାୟତକୁ ନେଇ ବ୍ରାହ୍ମଣୀଗାଁ ବ୍ଲକ ଗଠନ ପାଇଁ ଦାବି କରାଯାଇଛି । ଏପରିକି ୧୯୯୮ ମସିହା ସାଧାରଣ ନିର୍ବାଚନ ସମୟରେ ବ୍ରାହ୍ମଣୀଗାଁ ଅଞ୍ଚଳର ୯୦ ଭାଗରୁ ଉର୍ଦ୍ଧ୍ବ ଭୋଟର୍ ବ୍ଲକ ଗଠନ ଦାବିରେ ଭୋଟ୍ ବର୍ଜନ କରିଛନ୍ତି ।
ଦୀର୍ଘ ବର୍ଷ ନୂତନ ବ୍ଲକ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଘୋଷଣାକୁ ବ୍ରାହ୍ମଣୀଗାଁ ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟି, ଚାଷୀ ମୂଲିଆ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇ ବ୍ରାହ୍ମଣୀଗାଁ ଅଞ୍ଚଳ ବାସୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତିି । ଚାଷୀ ମୂଲିଆ ସୁରକ୍ଷା ସମିତି କନ୍ଧମାଳ ପକ୍ଷରୁ ସର୍ବଶ୍ରୀ ବଳଭଦ୍ର ମଳିକ, ଶରତ ମଳିକ, କୈଳାସ ସୁନ୍ଦ୍ରାମାଝୀ, ବାବୁଲା ମଳିକ, ଧିରେନ୍ଦ୍ର ପଡ୍ରା, ଉତ୍ତମ ମଳିକ, ସଂଜିତ ମଳିକ, କାମଦେବ ମଳିକ, ରାଜକୁମାର ମଳିକ, ପ୍ରକାଶ ପଡ୍ରା, ରବିଚନ୍ଦ୍ର ପ୍ରଧାନ, କାର୍ତ୍ତିକ ମଳିକ, ରାଜେନ୍ଦ୍ର ପଡ୍ରା, ପ୍ରକାଶ ପଡ୍ରା
ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ଦୀର୍ଘ ୪ ଦଶନ୍ଧି ଧରି ଅଞ୍ଚଳବାସୀ ବ୍ରାହ୍ମଣୀଗାଁ ବ୍ଲକ ପାଇଁ ବହୁ ସଂଗ୍ରାମ ଓ ଆନ୍ଦୋଳନ କରିଚାଲିଛନ୍ତି । ଅତୀତରେ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଯଥା ପୀତାମ୍ବର ପାତ୍ର, ରାମଚନ୍ଦ୍ର ପାତ୍ର, କ୍ଲିଣ୍ଟିନ୍ ସୁଆଲ୍ ସିଂ, ରଘୁନାଥ ପ୍ରଧାନୀ, ଲିଓ ବଳୀୟାରସିଂ କରମ୍ ପାଟମାଝୀ, ଦିବ୍ୟସିଂହ ପାତ୍ର, ସାମାଜିକ ତଥା ରାଜନୈତିକ କର୍ମୀ ସେବେରିଆନ୍ ଉଠାଣସିଂ, ଅଶ୍ୱିନୀ ସିଂ, ଆରନ୍ ନାୟକ, ଗୁଡ୍ରିସା ବଡମାଝୀ, ନରେନ୍ଦ୍ର ମହାନ୍ତି, ଦେବେନ୍ଦ୍ର ମନ୍ତ୍ରୀ, ବିପିନ୍ ସିଂ, କୈଳାସ ନାୟକ, ବିଭୁତି ନାୟକ, ବିରଞ୍ଚି ବିଷୋୟୀ, ସତ୍ୟବାଦୀ ସାହୁ, ଦେବଚନ୍ଦ୍ର ବଡମାଝୀ, ଚିତ୍ରସେନ ପାତ୍ର, ରାଧାକାନ୍ତ ବଳୀୟାରସିଂ,ଶରତ ବଳୀୟାର ସିଂ, ସୁମନ୍ତ ନାୟକ, ବାଡେଶା ମାଝୀଙ୍କ ସମେତ ବହୁ ନେତୃବୃନ୍ଦ ବ୍ରାହ୍ମଣୀଗାଁ ବ୍ଲକ ଗଠନ ଆନ୍ଦୋଳନକୁ ତୀବ୍ରତର କରିଥିଲେ । ସେମାନଙ୍କ ନାମରେ ସେଥିପାଇଁ ମକଦ୍ଦମା ହୋଇଛି, କେତେକ ଜେଲ୍ ମଧ୍ୟ ଯାଇଛନ୍ତି ଏବଂ ଏହା ମଧ୍ୟରେ ସେମାନଙ୍କ ମଧ୍ୟରୁ କେତେଜଣ ମୃତ୍ୟୁବରଣ କରିସାରିଲେଣି । ଅତୀତରେ ବହୁ ରାଜନୈତିକ ଦଳ ପ୍ରତିଶୃତି ଦେଇ ମଧ୍ୟ ବ୍ଲକ ଗଠନ ପାଇଁ କୈାଣସି ତତ୍ପରତା ପ୍ରକାଶ କରିନାହାଁନ୍ତି । ବ୍ରାହ୍ମଣୀଗାଁ ବ୍ଲକ ଗଠନ ହେଲେ ଅଞ୍ଚଳବାସୀଙ୍କ ପ୍ରତି ଦୀର୍ଘ ଦିନର ପ୍ରଶାସନିକ ଓ ରାଜନୈତିକ ଅବହେଳାର ଅନ୍ତ ହେବ ଏବଂ ଅତୀତରେ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ଇତିମଧ୍ୟରେ ମୃତ୍ୟୁ ବରଣ କରିଥିବା ସଂଗ୍ରାମୀ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।