ନବୀନ ପଟନାୟକଙ୍କ ଗଞ୍ଜାମ ଗସ୍ତ, ଅଦିନିଆ ବର୍ଷାରେ ଗଞ୍ଜାମରେ ବ୍ୟାପକ ଫସଲ କ୍ଷତି…

ଚାଷୀଙ୍କ ଅଭିଯୋଗ
-ଏପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନକୁ ଆସିନାହାନ୍ତି କର୍ମଚାରୀ
-ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚିଯାଇଥାନ୍ତା
-ଚାଷୀ ଦୁଃଖରେ ଅଛନ୍ତି
-ତୁରନ୍ତ ପର୍ଯ୍ୟାପ୍ତ ପରିମାଣ ରେ କ୍ଷତିପୂରଣ ଦେବା ପାଇଁ ନବୀନ ପଟନାୟକଙ୍କ ଦାବୀ

csp

ଅନୁସନ୍ଧାନ ଭାରତ(ବ୍ୟୁର): ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଶେରଗଡ଼ର ଟକରଡ଼ା, ହିଞ୍ଜିଳିର ପୋଡିଙ୍ଗି, ଆସ୍କାର ବରଗାଁ, କବିସୂର୍ଯ୍ୟନଗରର ଆମ୍ବିଶିଖରପୁର ଓ ଖଲିକୋଟର ଭରସାଗାଁ ଆଜି ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ l ଏହି ସମୟରେ ହଜାର ହଜାର ଚାଷୀ, ମହିଳା ଶ୍ରୀ ପଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ l ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ଛାଡି ଯିବାର ଏତେ ଦିନ ପରେ ମଧ୍ୟ କୌଣସି ସରକାରୀ କର୍ମଚାରୀ ଏ ପର୍ଯ୍ୟନ୍ତ କ୍ଷେତ୍ର ପରିଦର୍ଶନରେ ଆସିନାହାନ୍ତି l ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚି ଯାଇଥାନ୍ତା ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ l ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଶ୍ରୀ ପଟନାୟକ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇ ଭଉଣୀଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ ଲଢେଇ କରିବେ l ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିଥିଲେ ଫସଲ ବଞ୍ଚି ଯାଇ ଥାନ୍ତା ବୋଲି ଶ୍ରୀ ପଟନାୟକ ମତ ଦେଇ କହିଥିଲେ ଯେ ଗଞ୍ଜାମର ଚାଷୀକୁଳ ଦୁଃଖରେ ଅଛନ୍ତି l ଅଦିନିଆ ବର୍ଷା ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି l ତେଣୁ କାଳ ବିଳମ୍ବ ନ କରି ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟନାୟକ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି l ସେ ସବୁବେଳେ ଚାଷୀମାନଙ୍କ ସହ ଅଛନ୍ତି ବୋଲି ବୋଲି ଆଶ୍ୱାସନା ଦେଇଥିଲେ l ଅଦିନିଆ ବର୍ଷା ଯୋଗୁଁ ଗଞ୍ଜାମରେ ବ୍ୟାପକ ଫସଲ କ୍ଷତି ଘଟିଛି ଓ ଚାଷୀ ଦୁଃଖରେ ଅଛନ୍ତି ବୋଲି ଶ୍ରୀ ପଟନାୟକ ମତବ୍ୟକ୍ତ କରିଥିଲେ l ଚାଷୀଙ୍କ ଦୁଃଖ ସମୟରେ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଉଦବେଗ ପ୍ରକାଶ କରି ଶ୍ରୀ ପଟନାୟକ ଚାଷୀଙ୍କ ପାଇଁ ତୁରନ୍ତ ପର୍ଯ୍ୟାପ୍ତ ସହାୟତା ଘୋଷଣା କରିବାକୁ ଦୃଢ଼ ଦାବୀ ଜଣାଇଛନ୍ତି l