ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ସ୍ଥାନୀୟ ମାଦ୍ରୀ କାଲୋ ଭବନ ପଡ଼ିଆ ଠାରେ ଆଜି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର , ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଂଜନ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ, କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀ ପରମାନନ୍ଦ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ହରିହର ନାୟକ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରିବା ସହିତ ଯାନ୍ତ୍ରୀକରଣର ଆବଶ୍ୟକତା, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ଉପଯୋଗ କରି ଚାଷୀମାନଙ୍କ ମୁଁହରେ କିଭଳି ହସ ଫୁଟିବ ଏବଂ ସେମାନଙ୍କ ଆର୍ଥିକ ଅବସ୍ଥାରେ କିଭଳି ଉନ୍ନତି ଘଟିବ ସେନେଇ ନିଜ ବକ୍ତବ୍ୟ ରଖିଥିଲେ । ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ କୃଷି ଓ ଆନୁଷଙ୍ଗିକ ବିଭାଗ ଗୁଡ଼ିକର ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଥିଲେ । କୃଷକ ସଶକ୍ତିକରଣ ନିମନ୍ତେ ସରକାରଙ୍କ ବହୁତ ଗୁଡ଼ିଏ ଯୋଜନା ରହିଛି l ସେହିଭଳି ଜୀବିକା ନିମନ୍ତେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଦି ମଧ୍ୟ ରହିଛି, ସେହି ଯୋଜନା, କାର୍ଯ୍ୟକ୍ରମ ଆଦିରେ ସାମିଲ ହୋଇ ଚାଷୀମାନେ ଲାଭବାନ ହୋଇ ପାରିବେ ଏବଂ ତାହା ତାଙ୍କ ଜୀବନ ଧାରଣର ମନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ । ଚାଷ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଚାଷ ସହିତ ଚାଷୀଙ୍କୁ କିଭଳି ଆଗକୁ ବଢ଼ାଇବା, ଚାଷୀ ବନ୍ଧୁମାନଙ୍କୁ ସହଯୋଗ କରିବା, ଚାଷୀ ମାନେ କିଭଳି ସରକାରଙ୍କ ସବୁ ଯୋଜନାରେ ସାମିଲ ହୋଇ ଶୁଭ ଲାଭ ପାଇବେ ଆଦି ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରାଯାଇଥିଲା । ସେହିପରି ଏହି ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଉପଯୋଗ ଦ୍ଵାରା କୃଷକଙ୍କ ସମୟ, ଶ୍ରମ, ଅର୍ଥ ମଧ୍ୟ ଅପଚୟ ନହେବା ସହିତ ତାଙ୍କର ଆୟକୁ ଦ୍ଵିଗୁଣିତ କରିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । କୃଷି ଓ କୃଷକଙ୍କର ବିକାଶ ନିମନ୍ତେ ଆୟୋଜିତ ହୋଇଥିବା ଏହି ମେଳା ୫ ଦିନ ଧରି ଚାଲିବ । ଏଠାରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ମାନ କରାଯାଇଛି । ଅତିଥିମାନେ ସମସ୍ତ ଷ୍ଟଲ ବୁଲି ଦେଖିବା ସହିତ ମେଳା ରେ ସ୍ଥାନିତ ହୋଇଥିବା ସହିତ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର, ପରିଚାଳନା ମଧ୍ୟ ଦେଖିଥିଲେ । ଏହା ସହିତ ଡ୍ରୋନ ଦିଦିଙ୍କ ଦ୍ଵାରା ଡ୍ରୋନ ମାଧ୍ୟମରେ କୃଷି କ୍ଷେତ୍ରରେ ସାର ପ୍ରୟୋଗକୁ ମଧ୍ୟ ଦେଖିଥିଲେ । ମେଳାରେ ବହୁ ଉନ୍ନତ ଧରଣର ବିଭିନ୍ନ କୃଷି ଯନ୍ତ୍ରପାତି ଯଥା ଟ୍ରାକ୍ଟର, ଘାସ ବଛା ଯନ୍ତ୍ର, ସାଇକେଲ ଘାସ ବଛା ଯନ୍ତ୍ର, ଧାନ ସଫା କରିବା ଯନ୍ତ୍ର, ଲୁହା ଲଙ୍ଗଳ, ବିଭିନ୍ନ ମଞ୍ଜି ରୁଆ ଯନ୍ତ୍ର, ଧାନ ଅମଳ ଓ ସଫା କରିବା ଯନ୍ତ୍ର, ଧାନ ବିଶୋଧନ ଯନ୍ତ୍ର ଇତ୍ୟାଦି ରହିଛି । ଏହି ଅବସର ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ବିଭିନ୍ନ ସାଂସ୍କୃତିକ ଦଳ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।