ବନଖଣ୍ଡ ସ୍ତରୀୟ ବନାଗ୍ନି ପ୍ରଶସନ ଓ ପରିଚାଳନା ବୈଠକ ଅନୁଷ୍ଠିତ, ବେରୁଆବାଡ଼ିରେ ହେବ ସ୍ବତନ୍ତ୍ର ଏଲିଫେଣ୍ଟ ରେସ୍କ୍ବ୍ୟୁ ସେଣ୍ଟର…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଲାଲସିଙ୍ଗ୍ ନର୍ସରି ପରିସରରେ ବନାଗ୍ନି ପ୍ରଶସନ ଓ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବର୍ଷା ପରିମାଣ କମ ରହିଥିବାରୁ ବନ ବିଭାଗକୁ ଏବେଠାରୁ ବନାଗ୍ନି ଚିନ୍ତା ଘାରିଛି । ଜଙ୍ଗଲରୁ କାଠ ସଂଗ୍ରହ, ପୋଢୁଚାଷ, ବନ୍ୟପ୍ରାଣୀ ଶିକାର ଆଦି ଉଦ୍ଦେଶ୍ୟରେ ଅଧିକାଂଶ ସ୍ଥାନରେ ନିଆଁ ମନୃଷ୍ୟକୃତ ବୋଲି ଅନେକ ବକ୍ତା ପ୍ରକାଶ କରିଥିବା ବେଳେ ସେମାନଙ୍କ ନିଆଁ ଲଗାଉଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି ପ୍ରକାଶ କରିଥିଲେ । ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଗାମୀ ଦିନରେ ଏହି ବନଖଣ୍ଡର ବେରୁଆଁବାଡି ଠାରେ ହାତୀଙ୍କ ନିମନ୍ତେ ସ୍ବତନ୍ତ୍ର ଏଲିଫେଣ୍ଟ ରେସ୍କ୍ବ୍ୟୁ ସେଣ୍ଟର, ଗାଲେରୀ ଓ ତାରସିଂ ଅଞ୍ଚଳରେ ଦମକଳ କେନ୍ଦ୍ର ସହ ଚନ୍ଦ୍ରଗିରି ଜଙ୍ଗଲରେ ରହିଥିବା ଚକ୍ରଘାଟିର ଉନ୍ନୟନ ପାଇଁ ବହୁ ଯୋଜନା ଆଗାମୀ ଦିନରେ କରାଯିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ଅଗ୍ନିଶମ ଅଧିକାରୀ ସମୀର କୁମାର ବିଶ୍ବାଳ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ୍ତ କୁମାର ସାହୁ, ତହସିଲଦାର ଉମା ଶଙ୍କର ବେହେରା, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଅବସରପ୍ରାପ୍ତ ଡିଏଫ୍ଓ ଭୀମସେନ ମହାରଣା ପ୍ରମୁଖ ଅତିଥି ଭାବେ ବକ୍ତବ୍ୟ ରଖିଥିବା ବେଳେ ଏସିଏଫ୍ ବିବେକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କେନ୍ଦ୍ରୀୟ ରେଞ୍ଜର ପୃଥବୀରାଜ ପ୍ରଧାନ, ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, ମୁଜାଗଡ ରେଞ୍ଜର ବିମ୍ବାଧର ସାହୁ, ତାରସିଂ ରେଞ୍ଜର ଅରୁଣ ପ୍ରଧାନ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତାରାଣୀ ପଣ୍ଡାଙ୍କ ସମେତ ବନପାଳ, ବନରକ୍ଷୀ ଓ ବହୁ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ସଚେତନ ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।