ଶାନ୍ତି ଶୃଙ୍ଖଳାର ସହ କଡା ସୁରକ୍ଷା ବଳୟ ମଧ୍ୟରେ ସରିଲା ହାତୀମୁଣ୍ଡା ଅନାସ୍ଥା ଭୋଟ ଗ୍ରହଣ, ସରପଞ୍ଚଙ୍କ ବିରୋଧରେ ୯ ଜଣ ୱାର୍ଡ ସଭ୍ୟ ସଭ୍ୟା ଆଣିଥିଲେ ଅନାସ୍ଥା ପ୍ରସ୍ତାବ..
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ପଞ୍ଚାୟତରେ ଘଟିଛି ଏକ ବଡ଼ ଘଟଣା । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ଯେଉଁ ଜନତା ଅନେକ ଆଶା ନେଇ ଲୋକ ପ୍ରତିନିଧିଙ୍କୁ ଚୟନ କରି ଥିଲେ ସେମାନଙ୍କ ଆଶା ମାଉଳି ଯାଇଛି l
ୱାର୍ଡ ସଭ୍ୟ ସଭ୍ୟାମାନେ ମେଳି ବାନ୍ଧି ସରପଞ୍ଚ ନବନିତା କପାଟପାତ୍ରଙ୍କ ମନମୁଖୀ କାର୍ଯ୍ୟ କରୁ ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଉକ୍ତ ପ୍ରସ୍ତାବ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି l ସୋମବାର ଦିନ ହାତୀମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ନିର୍ବାଚନ ଅଧିକାରୀ ତଥା ସଭାପତି ଭାବେ ସ୍ଥାନୀୟ ତହସିଲଦାର ଶରତ ଶବର ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ତହସିଲଦାର ବାଲିଗୁଡ଼ା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରି ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ୱାର୍ଡ ସଭ୍ୟସଭ୍ୟାମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ l ଉଭୟ ପକ୍ଷ ନିଜ ନିଜର ମତାମତ ରଖି ଥିଲେ l ସମସ୍ତଙ୍କ ମତାମତ ଗ୍ରହଣ କରିବା ପରେ ତାକୁ ରେଜୁଲେଶନରେ ସ୍ଥାନ ଦେଇ ଅନାସ୍ଥା ପ୍ରସ୍ତାବକୁ ନେଇ ଭୋଟ ଗ୍ରହଣ କରାଯାଇ ଥିଲା । ସୂଚନା ଅନୁଯାୟୀ ଏହି ପଞ୍ଚାୟତ ରେ ୧୪ ଗୋଟି ୱାର୍ଡ ରହିଥିବା ବେଳେ ୧୨ ଗୋଟି ୱାର୍ଡରୁ ୱାର୍ଡ ମେମ୍ବର ନିର୍ବାଚିତ ହୋଇ କାର୍ଯ୍ୟରତ ଥିବା ବେଳେ ନବନିତା କପାଟପାତ୍ର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦାୟିତ୍ଵ ତୁଲାଉ ଥିଲେ l ହେଲେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ କଳାପ ଓ ପଞ୍ଚାୟତର ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟରେ ସରପଞ୍ଚଙ୍କ ସ୍ବାମୀଙ୍କ ହସ୍ତକ୍ଷେପ ଯୋଗୁଁ ୱାର୍ଡର ସଭ୍ୟ ସଭ୍ୟା ତଥା ପଞ୍ଚାୟତ ବାସୀ ଅସନ୍ତୋଷ ପ୍ରକାଶ କରି ଅନାସ୍ଥା ପ୍ରସ୍ତାବ ଆଣିବାକୁ ସ୍ଥିର କରିଥିଲେ l ତଦନୁଯାୟୀ ପଞ୍ଚାୟତ ବାସୀ କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଥିଲେ l ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶ କ୍ରମେ ସୋମବାର ଦିନ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଭୋଟ ଗ୍ରହଣ କରାଯାଇଛି । ସରପଞ୍ଚ ଶ୍ରୀମତୀ କାପାଟପାତ୍ର ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇ ଏହି ଅନାସ୍ଥା ପ୍ରସ୍ତାବ ଉପରେ ରହିତା ଦେଶ ଆଣିଛନ୍ତି । ଉଚ୍ଚ ନ୍ୟାୟାଳୟର ଆଦେଶ କ୍ରମେ ଆଜି କେବଳ ଭୋଟ ଗ୍ରହଣ କରାଯାଇ ସମସ୍ତଙ୍କ ଉପସ୍ଥିତିରେ ବାଲଟ ବାକ୍ସ ସିଲ୍ କରି ତହସିଲଦାରଙ୍କ ତତ୍ତ୍ଵାବଧାନରେ ସୁରକ୍ଷିତ ରଖାଯାଇଛି l ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଧେଶ କ୍ରମେ ଭୋଟ ଗଣତି କରି ଫଳାଫଳ ଘୋଷଣା କରାଯିବ ବୋଲି ତହସିଲଦାର ଶ୍ରୀ ଶବର କହିଛନ୍ତି । ଭୋଟ ଗ୍ରହଣ ସମୟରେ ଆଇନ ଶୃଙ୍ଖଳା ତଦାରଖ କରିବା ପାଇଁ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୂରୁଙ୍କ ନେତୃତ୍ୱରେ ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି, ଏସ ଆଇ ରମାକାନ୍ତ ସେଠି, ଶଙ୍କର ୱାର୍ଡକା ସମେତ ସୁରକ୍ଷା କର୍ମୀ ଗୃହରକ୍ଷୀ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ l ଆମର ମାନ୍ୟବର ଉଚ୍ଚତମ ନ୍ୟାୟଳୟ, ସରକାର, ଜିଲ୍ଲା ପ୍ରଶାସନ ଓ ସମ୍ବିଧାନ ଉପରେ ଭୋରସା ଅଛି l ନିଶ୍ଚିତ ନ୍ୟାୟ ଆମକୁ ମିଳିବ l ଯଥା ଶୀଘ୍ର ହାତୀମୁଣ୍ଡା ବାସୀ ନୂତନ ସରପଞ୍ଚଙ୍କୁ ନିର୍ବାଚିତ କରିବେ ଏବଂ ଅଂଚଳର ବିକାଶ ଧାରା ଆଗକୁ ଯିବ ବୋଲି ୱାର୍ଡ ମେମ୍ବର ମିଶ୍ର ମଲିକ ମତପ୍ରକାଶ କରିବା ସହ ଯଦି ଆବଶ୍ୟକତା ହୁଏ ତାହାହେଲେ ଆମେ ଆଇନର ଆଶ୍ରୟ ନେଇ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ସୂଚନା ଦେଇଛନ୍ତି l