ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିବ ଦାରିଙ୍ଗବାଡି କଫି: ୧୫ ଦିନରେ ୮ମେଟ୍ରିକ୍ ଟନ୍ ମଞ୍ଜି ସଂଗ୍ରହ, ତଦାରଖ କଲେ ପ୍ରକଳ୍ପ ପ୍ରଶାସକ…
ଦାରିଙ୍ଗବାଡି(ଆଶୋକ ସିଂ): ପର୍ଯ୍ୟଟନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ହେଉଛି ଅନ୍ୟତମ l ସବୁଜ ବନାନୀ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡି , ଓଡ଼ିଶାର କଶ୍ମୀର ନାମରେ ପରିଚିତ l ବାହାର ଜିଲ୍ଲା ତଥା ବାହାର ରାଜ୍ୟ ତଥା ଦେଶ ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ଦାରିଙ୍ଗବାଡିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରିବାକୁ ଆସିଥାନ୍ତି l ଯେତେ ବି ପର୍ଯ୍ୟଟକ ଆସନ୍ତି ସବୁଜିମାରେ ଭରା କଫି ବଗିଚାକୁ ବୁଲିବାକୁ ଯାଆନ୍ତି l ସେଠାକାର ମନୋଲଭା ଦୃଶ୍ୟ ସମସ୍ତଙ୍କୁ ଆପଣାର କରିନିଏ l ଶାନ୍ତ ଶୀତଳ ପରିବେଶରେ ନିଜକୁ ହଜେଇ ଦିଅନ୍ତି ପର୍ଯ୍ୟଟକ । ବର୍ତ୍ତମାନ କଫି ଅମଳର ସମୟ ଆସିଯାଇଛି l କଫି ଫଳ ତୋଳିବା କାର୍ଯ୍ୟ ଜୋର ଜାର ଚାଲିଛି l ପାଖାପାଖି ଗ୍ରାମରୁ ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରାୟ ୨୫ ଜଣ ମହିଳା କଫି ଫଳ ତୋଳିବାକୁ ନିୟୋଜିତ ହୋଇ ଥିବା ବେଳେ ଜଣେ ଜଣେ ଦିନକୁ ପ୍ରାୟ ୨୫ କିଲୋ ତୋଳି ପାରୁଥିବା କୁହାଯାଇଛି । ଏଠାରେ କଫି ଫଳ ତୋଳିବା ପରେ ଚୋପା ଓ ମଞ୍ଜିକୁ ମେସିନ ସାହାଯ୍ୟରେ ଅଲଗା କରି ତାକୁ ସଫା କରାଯାଇ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଉଅଛି । ନଭେମ୍ବର ମାସ ୨୫ରୁ କଫି ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮.୫ମେଟ୍ରିକ୍ ଟନ୍ ସଂଗ୍ରହ କରିଥିବା କୁହାଯାଇଛି l ଆଗକୁ ଆହୁରି ତୋଳିବା କାର୍ଯ୍ୟ ବାକି ରହିଛି ।
କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଆଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ଏହାର ତଦାରଖ କରୁଥିବା ବେଳେ ବୁଧବାର ଦିନ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପହଞ୍ଚି କଫି ସଂଗ୍ରହ କାର୍ଯ୍ୟ କିପରି ଚାଲିଛି ତାହା ଅନୁଧ୍ୟାନ କରିଥିଲେ l ଦିନକୁ କେତେ ପରିମାଣର କଫି ସଂଗ୍ରହ ହୋଇ ପାରୁଛି l ପାରିଶ୍ରମିକ ଠିକରେ ପାଉଛନ୍ତି କି ନାହିଁ, ସଠିକ୍ ଭାବେ କଫି ମଞ୍ଜି ପ୍ରସ୍ତୁତ କାର୍ଯ୍ୟ ଚାଲିଛି କି ନାହିଁ ସେ ସବୁ ପଚାରି ବୁଝିବା ସହ ଏଠାରେ ନିୟୋଜିତ ଥିବା ମହିଳାମାନଙ୍କ ସୁରକ୍ଷା ପାଇଁ ଶ୍ରମିକ ପୋଷାକ, ଗ୍ଲୋବ ଏବଂ ଜୋତା ନିଜ ସଂସ୍ଥା ତରଫରୁ ଯୋଗାଇ ଦିଆଯାଇ ଥିବା କହିଛନ୍ତି । ଆହୁରି ମଧ୍ଯ ସେକହିଛନ୍ତି କି ଚଳିତ ବର୍ଷ ଦାରିଙ୍ଗବାଡିର କଫି ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିବ ଏବଂ ଆଗାମୀ ଦିନରେ ଏହି ଅଞ୍ଚଳରୁ ଅଧିକରୁ ଅଧିକ କଫି ଉତ୍ପାଦନ କରାଯାଇ ପାରିବ l ସେଥି ପାଇଁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିବ ବୋଲି ପ୍ରକଳ୍ପ ପ୍ରଶାସକ ଶ୍ରୀ ବେହେରା କହିଛନ୍ତି । ଅନ୍ୟ ପକ୍ଷରେ କଫି ସଂଗ୍ରହ କରୁଥିବା ମହିଳାମାନେ କାମରେ ନିୟୋଜିତ ହୋଇ ଭଲ ଦୁଇ ପଇସା ରୋଜଗାର କରିପାରୁ ଥିବାରୁ ପ୍ରଶାସନକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।