ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ମହାଗୁଡ଼ି ନିକଟସ୍ଥ ପେନାରା ଘାଟି ବୁଲାଣିରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଆହତ ଓ ଆଉ ଜଣେ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିମାନେ ହେଲେ ହାତୀମୁଣ୍ଡା ପଞ୍ଚାୟତ ଡାହୁ ଗ୍ରାମର ପବିତ୍ର ପ୍ରଧାନ ଏବଂ କଟକ ର ମଧୁସୁଦନ ମିଶ୍ର । ସୂଚନା ଅନୁଯାୟୀ ଏହି ଆହତ ଦ୍ବୟ ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପାଇପ୍ ସଂଯୋଗ କାମ କରନ୍ତି । କୌଣସି ବ୍ୟକ୍ତିଗତ କାମରେ ବ୍ରାହ୍ମଣୀଗାଁ ଆସି ନିଜ ବସାକୁ ଫେରୁଥିବା ସମୟରେ ଉକ୍ତ ପେନାରା ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣା ସ୍ଥଳରୁ ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ବ୍ରାହ୍ମଣୀଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇ ଥିଲା । ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅଵସ୍ଥା ଗୁରୁତର ଥିବାରୁ ପବିତ୍ର ପ୍ରଧାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେବାକୁ ପରାମର୍ଶ କରିଛନ୍ତି । ବାରମ୍ଵାର ଉକ୍ତ ଘାଟିରେ ଦୁର୍ଘଟଣା ଘଟୁଥିବା ବେଳେ ସେହି ରାସ୍ତା ନିର୍ମାଣରେ କୌଣସି ଯାନ୍ତ୍ରିକ ତୃଟି ରହିଥିବା ପରିଲକ୍ଷିତ ହେଉଛି l ଉକ୍ତ ଘାଟି ରାସ୍ତା ପିଚୁ ପଡ଼ିଥିଲେ ସୁଦ୍ଧା ଗାଡ଼ି ମୋଟର ଗୁଡ଼ିକ ତରଙ୍ଗ ଖେଳିଲା ଭଳି ଯାଉଛି l ଏଣୁ ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ରାସ୍ତାକୁ ସଜାଡ଼ିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।