ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଆଜି କୁତ୍ରା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ପରିଦର୍ଶନ କରି ସମୀକ୍ଷା କରିଛନ୍ତି ଏବଂ ପ୍ରକଳ୍ପ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ କୁତ୍ରା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଏହି ପ୍ରଦର୍ଶନୀରେ ପ୍ରତ୍ୟେକ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଂକରୁ ୭ଟି ଲେଖାଏଁ ପ୍ରକଳ୍ପ ସ୍ଥାନିତ ହୋଇଅଛି । ପରେ ପରେ ଲାଇଂ ଠାରେ ହେଉଥିବା ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମର ଜଳ ବିଶୋଧନ ପ୍ଲାଣ୍ଟ (water treatment plant)ର ପରିଦର୍ଶନ କରିଥିଲେ । ଏହି ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ ଅର୍ନ୍ତଗତ ତିନିଟି ବ୍ଲକ ଯଥା – କୁତ୍ରା, ବଡ଼ଗାଁ ଓ ରାଜଗାଙ୍ଗପୁର ର ୮୦ ଗୋଟି ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବାର ଯୋଜନା ରହିଛି । ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୪ ଗୋଟି ଗ୍ରାମକୁ ପାନୀୟ ଯୋଗାଣ ହେଉଅଛି । ଏହି ପ୍ରକଳ୍ପକୁ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଶ୍ରୀ ମହାଜନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆମଗୋଭା ଗ୍ରାମ ପଞ୍ଚାୟତର ଏଲଗା ଗ୍ରାମ ଗସ୍ତ କରି ସେଠାକାର ଜଳନିଧି -୨ ଯୋଜନା ଅନ୍ତର୍ଗତ ହେଉଥିବା ସୋଲାର ଉଠା ଜଳ ସେଚନ ପ୍ରକଳ୍ପ ର ପରିଦର୍ଶନ କରିଥିଲେ । ଜୁଆରମୁଣ୍ଡା ଠାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏବଂ ଓମ୍ବାଡସି ସହାୟତାରେ ଦ୍ଵାରା ହେଉଥିବା ନିର୍ମାଣାଧୀନ ଅଙ୍ଗନୱାଡ଼ି କେନ୍ଦ୍ରର ପରିଦର୍ଶନ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦହିଜିରା ଠାରେ ଏନଆରଇଜିଏସ ଅନ୍ତର୍ଗତ ପୋଖୋରୀ ଉନ୍ନତିକରଣ କାର୍ଯ୍ୟର ତଦାରଖ କରିଥିଲେ ଏବଂ ଗ୍ରାମରେ ଥିବା ପୋଖୋରୀ ଏବଂ ନାଳ ଗୁଡ଼ିକର ଏନଆରଇଜିଏସ ମାଧ୍ୟମରେ ଉନ୍ନତିକରଣ କରିବା ନେଇ ଆଲୋଚନା କରିଥିଲେ । ସେହି ପରି କନ୍ଦେଇମୁଣ୍ଡା ଗ୍ରାମକୁ ଯାଇ ଓଡ଼ିଶା ଜୀବିକା ମିଶନ ଏବଂ ପ୍ରାଣୀ ସଂପଦ ବିଭାଗ ଦ୍ଵାରା ହୋଇଥିବା କୁକୁଡ଼ା ଫାର୍ମ ଏବଂ ମିଲେଟ ଟିଫିନ୍ କେନ୍ଦ୍ର ପରିଦର୍ଶନ କରିଥିଲେ ଏବଂ ଉପଯୁକ୍ତ ବଜାର ସୁବିଧା କରିବାକୁ ବିଭାଗିୟ ଅଧିକାରୀଙ୍କୁ କହିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ଯୁଗଳ ବିଶ୍ଵାଳ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।