ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ଶାନ୍ତିଝର ପିକନିକ ସ୍ପଟରେ ପର୍ଯ୍ୟଟକଙ୍କ ଭିଡ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି ।
ଧରାକୋଟ ଥାନା ନିକଟ ଗାନ୍ଧୀ ଛକ ଠାରୁ ଦକ୍ଷିଣ ଦିଗକୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ଶାନ୍ତି ଝର । ସୁଳିଆ ପାହାଡ଼ର ପାଦ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠ । ଶାନ୍ତ ସୁନ୍ଦର ପରିବେଶ ସାଙ୍ଗକୁ ବଣ ଜଙ୍ଗଲରୁ ଝରି ଆସୁଥିବା ଝରଣାର କୁଳୁ କୁଳୁ ନାଦ ଏହି ପରିବେଶକୁ ଆହୁରି ଅମୋଦିତ କରିଥାଏ । ଶାନ୍ତିର ପ୍ରତୀକ ଭଗବାନ ବୁଦ୍ଧଙ୍କ ପ୍ରତିର୍ମୂର୍ତି ଦର୍ଶକଙ୍କ ମନ ମୋହୁଥିବା ବେଳେ ପୀଠର ପାଦ ଦେଶରେ ମା କଠୁଳିଆ ଦେବୀଙ୍କ ମନ୍ଦିର, ମଧ୍ୟ ଭାଗରେ ସିଦ୍ଧ ଗୁମ୍ଫାରେ ମା ରାଜ ରଜେଶ୍ୱରି ଗଡଚଣ୍ଡିଙ୍କ ଜ୍ୱଳନ୍ତ ମୂର୍ତ୍ତି, ସବା ଉପରେ ସିଦ୍ଧ ମହାବୀର ଧାମ, ହନୁମାନ ବାଟିକା, ତଳ ଭାଗରେ ରହିଥିବା ଶିଶୁ ପାର୍କ ପିଲାଙ୍କ ମନ ମହୁଥିବା ବେଳେ ମହାବୀର ଘାଟିରେ ଗାଡି ଚାଳନା ପର୍ଯ୍ୟଟକମାନଙ୍କୁ ଅନନ୍ୟ ଅନୁଭୂତି ଦେଇଥାଏ । ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏଠାରେ ଭିଡ ଜମାଉଥିବା ବେଳେ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ପିକନିକ ପାଇଁ ଏଠାରେ ଭିଡ ଜମାଉଛନ୍ତି । ବଣ ଭୋଜି ପାଇଁ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଭୋଜି ରାନ୍ଧିବା ପାଇଁ ପିଣ୍ଡି ,ସୁନ୍ଦର ପରିବେଶ ଓ ନିକଟରେ ଥିବା ପାର୍କିଂ ସ୍ଥାନ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ । ସବୁଠାରୁ ଆକର୍ଷଣୀୟ କଥା ହେଲା ସନ୍ଧ୍ୟା ସମୟରେ ମୟୂର ପକ୍ଷୀମାନେ ଦଳ ଦଳ ହୋଇ ପୀଠ ନିକଟରେ ବିଚରଣ କରିଥାନ୍ତି । ମୟୂର ପକ୍ଷୀମାନଙ୍କ ସୁରକ୍ଷା ସାଙ୍ଗକୁ ପରିବେଶର ସ୍ବଚ୍ଛତା ପାଇଁ ଶାନ୍ତିଝର ଉନ୍ନୟନ କମିଟି ସର୍ବଦା ଗୁରୁତ୍ବ ଆରୋପ କରୁଥିବାରୁ ବର୍ଷ ସାରା ଏଠାକୁ ପିକନିକ ପାଇଁ ଲୋକେ ଏଠାକୁ ଆସନ୍ତି । ସମ୍ପ୍ରତି ଶାନ୍ତିଝର ଉନ୍ନୟନ କମିଟିର ସଭାପତି ସୁନିଲ କୁମାର ଚୌଧୁରୀଙ୍କ ଉଦ୍ୟମ କ୍ରମେ ହନୁମାନ ବାଟିକାରେ ଏକ 31ଫୁଟ ଉଚ୍ଚତାର ହନୁମାନ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଏସବୁ ସତ୍ତ୍ୱେ ଏହାର ଭିତ୍ତି ଭୂମିର ବିକାଶ ସହ ଏହି ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।