ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମିଳନୀ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନିକ ତତ୍ପରତା….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗରରେ ହେବ ରାଜ୍ୟ ସ୍ତରୀୟ ଆଇନଜୀବୀ ସମ୍ମଳନୀ । ନିଖିଳ ଉତ୍କଳ ଆଇନଜୀବୀ ସଂଘର ୫୩ ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୨୯ ଓ ୩୦ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏନେଇ ଆଜି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ଏହାର ଉଦ୍ଘାଟନ କରିବେ । ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ ପ୍ରଶାସନିକ ସ୍ତର ଠାରୁ ଦଳୀୟ ମହଲ ଯାଏଁ ସବୁଠି ତତ୍ପରତା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ, ପ୍ରଭାତି ପରିଡା, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଜିଲ୍ଲାର ପ୍ରାୟ ସମସ୍ତ ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଓଡିଶା ହାଇକୋର୍ଟର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସାରା ରାଜ୍ୟର ବିଭିନ୍ନ ଆଇନଜୀବୀ ସଂଘର କର୍ମକର୍ତ୍ତାମାନେ ଭଞ୍ଜନଗର ଆସିବାକୁ ଥିବା ବେଳେ ଏହା କିଭଳି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆହାନକ୍ରମେ ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓକିଲ ସଂଘ କର୍ମକର୍ତ୍ତାଙ୍କ ସହ ବହୁ ଆଇନଜୀବୀ ଓ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଆଜି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ଅତିଥିଙ୍କ ରହିବା, ହ୍ୟାଲିପେଡ୍, ପରିମଳ, ଟ୍ରାଫିକ ସହ ଉଠା ବେପାରୀଙ୍କୁ ପରିବା ବଜାରକୁ ସ୍ଥାନାନ୍ତର ଆଦି ସଂର୍ପକରେ ଆଲୋଚନା ହୋଇଛି । ଏଥିରେ ଓକିଲ ସଂଘ ସଭାପତି ଶୌଳେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ, କାର୍ଯ୍ୟନିର୍ବାହୀ ସଦସ୍ୟ ଅଶୋକ କୁମାର ଗୌଡ, ଅକ୍ଷୟ କୁମାର ସାହୁ, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ତହସିଲଦାର ଉମାଶଙ୍କର ବେହେରା, ପୂର୍ତ୍ତ ବିଭାଗ ଏସ୍ଡିଓ ଇଂ ପ୍ରତାପ କୁମାର ନାୟକ, ଆରଡ଼ବ୍ଳୁଏସ୍ଏସ୍ ଏସ୍ଡିଓ ନିହାର ରଞ୍ଜନ ସ୍ବାଇଁ, ଏନ୍ଏସି ଇଓ ମୂରଲୀ କୃଷ୍ଣ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହା ପରେ କୋର୍ଟ ପରିସରରେ ମଧ୍ୟ ଏକ ବୈଠକ ହୋଇ ବିଭିନ୍ନ ଦାୟିତ୍ବ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହେବାକୁ ଥି୍ବା ସଂଘର ସମ୍ମିଳନୀର ପ୍ରଥମ ଦିବସରେ ଦିବସ ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଅନ୍ୟ ବିଶିଷ୍ଟ ଅତିଥି ଯୋଗ ଦେବେ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ । ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଥିଲେ । ସୂଚନଯୋଗ୍ୟ ୧୯୮୪ ମସିହାରେ ସ୍ବର୍ଗତ ଶଶୀଭୂଷଣ ତିଆଡି ଓକିଲ ସଂଘର ସଭାପତି ତଥା ରାଜ୍ୟ ସଂଘର ଆବାହକ ଥିବା ବେଳେ ଭଞ୍ଜନଗର ଠାରେ ୧୩ ତମ ଆଇନଜୀବୀ ସଂଘର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହା ପରେ ଓକିଲ ସଂଘରୁ ବହୁବାର ସଭାପତି ଭାବେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ତଥା ବିଧାୟକ ଶ୍ରୀ ନାୟକଙ୍କ ଉଦ୍ୟମ କ୍ରମେ ପୁନର୍ବାର ଏଠାରେ ଆଇନଜୀବୀ ସଂଘର ୫୩ ତମ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଆଇନଜୀବୀ ତଥା ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି କହିଛନ୍ତି ।